Zzz

ଓସ୍ତ ଗଛଡାଳ ଭାଙ୍ଗି ବାଇକ୍ ଉପରେ ପଡ଼ିଯିବାରୁ ଛାତ୍ରଙ୍କ ମୃତ୍ୟୁ, ଦୁଇ ଗୁରୁତର

State

ବୈପାରିଗୁଡ଼ା: ଏମିତି ବି ମୃତ୍ୟୁ ଆସେ। ଅଧାରେ ରହିଗଲା ପରୀକ୍ଷା। ବାଟରେ ଜଗିଥିଲା ଯମ। ଜୟପୁର ଅଞ୍ଚଳର ତିନି ଛାତ୍ର ପରୀକ୍ଷା ଦେବାକୁ ବାଇକରେ ବୈପାରିଗୁଡ଼ାର ସହିଦ୍ ଲକ୍ଷ୍ମଣ ନାୟକ ଡିଗ୍ରି କଲେଜକୁ ଆସୁଥିବା ବେଳେ ମହୁଲି ଘାଟିରେ ଓସ୍ତ ଗଛର ଡାଳ ଭାଙ୍ଗି ବାଇକ୍ ଉପରେ ପଡ଼ିଯିବାରୁ ଘଟଣାସ୍ଥଳରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଯାଇଛି। ଅନ୍ୟ ଦୁଇଜଣ ଗୁରୁତର ଅବସ୍ଥାରେ ଥିବା ଛାତ୍ରୀଙ୍କୁ ଚିକିତ୍ସା ନିମନ୍ତେ ବୈପାରିଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଘଟଣା ଅନୁଯାୟୀ, ଜୟପୁର ନିକଟସ୍ଥ ଡଙ୍ଗରପାଉଶି ଗ୍ରାମର ମହେନ୍ଦ୍ର ନାୟକ, ଜୟପୁର ମାଳିଗୁଡ଼ାର ଧର୍ମ ମାଳି ଏବଂ ବାଡନିପୁଟ ଗ୍ରାମର କମଳଲୋଚନ ହରିଜନ ହେଲେ ବୈପାରିଗୁଡା ସହିଦ୍ ଲକ୍ଷ୍ମଣ ନାୟକ ଡିଗ୍ରି କଲେଜରେ ଯୁକ୍ତ ତିନି ପ୍ରଥମ ବର୍ଷର କଳା ଛାତ୍ର। ଆଜି ପରୀକ୍ଷା ଦେବାକୁ ଗୋଟିଏ ବାଇକ୍ ଯୋଗେ ଜୟପୁରରୁ ବାହାରିଥିଲେ। ବୈପାରିଗୁଡ଼ାର ମହୁଲି ଘାଟି ନିକଟରେ ଥିବା ଏକ ଓସ୍ତ ଗଛର ଡାଳ ଭାଙ୍ଗି ବାଇକ୍ ଉପରେ ପଡ଼ିଯିବାରୁ ଘଟଣାସ୍ଥଳରେ ମହେନ୍ଦ୍ର ନାୟକଙ୍କ ମୃତ୍ୟୁ ହୋଇଯାଇଥିଲା। ଏବଂ ଦୁଇ ଜଣ ଗୁରୁତର ଛାତ୍ରଙ୍କୁ ସ୍ଥାନୀୟ ଲୋକେ ବୈପାରିଗୁଡ଼ା ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ଦୁଇ ଛାତ୍ର ଗୁରୁତର ଅବସ୍ଥାରେ ବୈପାରିଗୁଡ଼ା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଘଟଣା ଘଟିବା ପରେ ତୁରନ୍ତ ବୈପାରିଗୁଡ଼ା ପୁଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ରାଞ୍ଚି ବିଜୟଓ୍ବାଡା ୩୨୬ ନମ୍ବର ଜାତୀୟ ରାଜପଥ ଅଧଘଣ୍ଟା କାଳ ଯାତାୟାତ ଠପ୍ ହୋଇଯାଇଥିଲା। ଅଗ୍ନିଶମ ବାହିନୀ ଗଛ ଡ଼ାଳ କାଟିବା ପରେ ଗାଡ଼ି ଚଳାଚଳ ସ୍ବଭାବିକ ହୋଇଥିଲା। ଏହି ଦୁଃଖଦ ଘଟଣା ଶୁଣିବାପରେ ବୈପାରିଗୁଡ଼ାରେ ଦୁଃଖର ଲହରୀ ଖେଳି ଯାଇଛି।