ଆଗରପଡ଼ା :ଭଦ୍ରକ ଜିଲ୍ଲା ବନ୍ତ ତହସିଲ ଆଗରପଡ଼ା ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଅଧୀନ କୁଆଁସମଢିଆ ମୌଜାରେ ପ୍ଲଟନଂ-୫୭୮,କିସମ-ରକ୍ଷିତ ଜମି ଉପରେ ପାଣିନାଳ ଥିବା ବେଳେ ଜଣେ ବ୍ୟକ୍ତି ନିଜସ୍ୱ ଜମି ମଧ୍ୟରେ ପକ୍କା ପାଚେରି କରି ଉକ୍ତ ପାଣିନାଳକୁ ଜବରଦଖଲ କରିଥିଲେ । ଯାହା ଫଳରେ ଜଳ ନିଷ୍କାସନ ବାଧାପ୍ରାପ୍ତ ହେବା ସହ ନିଜନିଜ ଚାଷଜମିକୁ ଚାଷୀମାନେ ଯାତାୟାତ କରବାରେ ଘୋର ଅସୁବିଧାର ସମ୍ମୁଖୀନ ହେଉଥିଲେ । ପାଣିନାଳକୁ ଜବରଦଖଲ କରାଯାଇଥିବାରୁ ଚାଷୀମାନେ ଚାଷକାର୍ଯ୍ୟ ନିମନ୍ତେ ଘୋର ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଥିଲେ । ଏନେଇ ଚାଷୀମାନେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କଲା ପରେ ଅଭିଯୋଗର ଶୁଣାଣୀ କରି ଜିଲ୍ଲାପାଳଙ୍କୁ ଏହାର ବିଦ୍ଧିବଦ୍ଧ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ପରେ ଜିଲ୍ଲାପାଳ ବନ୍ତ ତହସିଲଦାରଙ୍କୁ ଏହାର ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଗତ ଜୁନ ମାସ ୧୯ ତାରିଖରେ ତହସିଲଦାର ବନ୍ତ ଆଗରପଡ଼ା ରାଜସ୍ୱ ନିରୀକ୍ଷକଙ୍କ ମାଧ୍ୟମରେ ଅନୁସନ୍ଧାନ କରି ଉପରୋକ୍ତ ପ୍ଲଟ ଉପରେ ପାଣିନାଳ ଥିବା ବେଳେ ଜବରଦଖଲକାରୀ ସିମେଣ୍ଟ ପାଚେରୀ ମଝିରେ ପାଣି ଯିବା ପାଇଁ ନାଳ ରଖିଥିବା ନେଇ ଜିଲ୍ଲା ପ୍ରଶାସନକୁ ରିପୋର୍ଟ ପ୍ରଦାନ କରିଥିବା ଜଣାପଡ଼ିଥିଲା । ଉକ୍ତ ରିପୋର୍ଟ ଖବର ଜଣାପଡ଼ିବା ପରେ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଭାବ ସୃଷ୍ଟି ହେବା ସହ ତଦନ୍ତର ସ୍ୱଚ୍ଛତା ପ୍ରତି ପ୍ରଶ୍ୱବାଚୀ ସୃଷ୍ଟି ହୋଇଥିବା ବେଳେ ଚାଷୀ ମାନଙ୍କ ପକ୍ଷରୁ କାଡ଼ା ବିଭାଗକୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପତ୍ରରେ ପକ୍ଷ କରାଯାଇଥିବାରୁ କାଡ଼ା ବିଭାଗର ମୁଖ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ନିର୍ଦ୍ଦେଶାନୁସାରେ ଜୁଲାଇ ୨୭ ତାରିଖରେ କାଡ଼ା ବିଭାଗର ଭଦ୍ରକ ନିର୍ବାହୀ ଯନ୍ତ୍ରୀ ସୁଧାଂଶୁ ଶେଖର ଛୋଟରାୟ,ସହକାରୀ ଯନ୍ତ୍ରୀ ରାଜେନ୍ଦ୍ର ନାରାୟଣ ପ୍ରଧାନ,କନିଷ୍ଠ ଯନ୍ତ୍ରୀ ବିଜୟ ମହାନ୍ତି ଘଟଣାସ୍ଥଳ ପରିଦର୍ଶନ କରି କାଡ଼ା ନାଳ ଉପରେ ବେଆଇନ ଭାବେ ପାଚେରୀ ନିର୍ମାଣ କରାଯାଇଥିବାରୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ । ଇତି ମଧ୍ୟରେ ୭ମାସ ବିତିଯିବା ପରେ ମଙ୍ଗଳବାର ପ୍ରଶାସନ ପକ୍ଷରୁ ଜବରଦଖଲରେ ଥିବା ପାଣିନାଳକୁ ଉଚ୍ଛେଦ କରାଯାଇଥିବା ଜଣାପଡ଼ିଛି । ଏହି ଉଚ୍ଛେଦ ପ୍ରକ୍ରିୟାରେ ଅତିରିକ୍ତ ତହସିଲଦାର ବନ୍ତ ପ୍ରସନ୍ନ ମହାନ୍ତି,ଆଗରପଡ଼ା ଥାନା ଅଧିକାରୀ ଶ୍ରୀକାନ୍ତ ପତି,ରାଜସ୍ୱ ପରିଦର୍ଶକ ବ୍ରଜ କିଶୋର ଦାସ,ରାଜସ୍ୱ ନିରୀକ୍ଷକ,କାଡ଼ା କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଥିଲା ।
ଅପରପକ୍ଷରେ ସରକାରୀ ଚକବନ୍ଦୀ ନକ୍କା ଅନୁସାରେ ଅଣିଜୋ ଶାଖା କେନାଲ(କୁଆଁଶମଢିଆ ମୌଜା ଜଳସେଚନ ଅଫିସ ସନ୍ନିକଟ)ରୁ ଆଉଟ୍ଲେଟ୍ ଦ୍ୱାରା ଏକ ପ୍ରଧାନ ପାଣିନାଳ ଖାତା ନଂ-୨୮୪,ପ୍ଲଟ ନଂ-୫୩୭,ରକବା-ଏ୦-୧୧ଡ଼ି. ଦୀର୍ଘ ୫୦୦ ମି.ପର୍ଯ୍ୟନ୍ତ ସ୍ଥିତାବସ୍ଥା ହରାଇ ବସିଛି । ଉକ୍ତ ଆଉଟ୍ଲେଟ୍ ଆରମ୍ଭରୁ ପ୍ରଧାନ ପାଣିନାଳ ଉପରେ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ବେଆଇନ୍ ଭାବେ ପକ୍କାଘର ନିର୍ମାଣ କରିବା ସହ ଉକ୍ତ ମୌଜାର ପାଖାପାଖି ୨୫ରୁ ଉର୍ଦ୍ଧ୍ୱ ପ୍ରଧାନ ପାଣିନାଳ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଅବରୋଧ କରାଯାଇଅଛି । ଯଦ୍ୱାରା ସମସ୍ତ ଚାଷ ଜମିକୁ ଜଳ ନିଷ୍କାସନ ହୋଇପାରୁନାହିଁ କି ଚାଷ ଜମିରେ ପାଣି ପହଂଚି ପାରୁନାହିଁ । ତେଣୁ ଏହାର ବିଧିବଦ୍ଧ ତଦନ୍ତ କରିବା ସହ ପ୍ରଧାନ ପାଣିନାଳ ଉପରେ ବେଆଇନ୍ ସ୍ଥାୟୀ ପକ୍କ୍ାଗୃହକୁ ଉଚ୍ଛେଦ ଓ ଅବରୋଧ ହୋଇ ରହିଥିବା ସମସ୍ତ ପ୍ରଧାନ ପାଣିନାଳକୁ ଅବରୋଧ ମୁକ୍ତ କରିବା ପାଇଁ ଆଗରପଡ଼ା ୧୪ ନଂ ଜୋନ୍ ଜିଲ୍ଳାପରିଷଦ ସଭ୍ୟା ରୁନିତା ଦାସ,ବିଟିପୁର ସରପଂଚ ସୁଭଦ୍ରା ସିଂହ,ବଡ଼ମହିଁଷଗୋଠ ସରପଂଚ ବିନୋଦିନୀ ମହାନ୍ତି,ପୁରୁଷଣ୍ଢ ସରପଂଚ ପ୍ରକାଶ ବିଶ୍ୱାଳ,ବଡ଼ମହିଁଷଗୋଠ ସମିତି ସଭ୍ୟା ପଦ୍ମାବତୀ ନାଥଶର୍ମା,ମା’ଚଣ୍ଡି ପାଣି ପଂଚାୟତ ସଭାପତି ଦିପକ ମହାନ୍ତି,ସମ୍ପାଦକ ପଦ୍ମଲୋଚନ ନାଥଶର୍ମାଙ୍କ ସମତେ କୁଆଁଶମଢିଆ ଅଧିନସ୍ଥ ସମସ୍ତ ଚାଷୀ ଓ ପଂଚାୟତ ବାସୀ ଜିଲ୍ଲାପାଳଙ୍କୁ ଗତ ଜୁଲାଇ ମାସରେ ପତ୍ର ଲେଖିଥିବା ଜଣାପଡ଼ିଥିଲା । ତତ୍ ସହିତ ଏହାର ଏକକିତା ନକଲ ଅତିରିକ୍ତ ଜିଲ୍ଲାପାଳ(ରେଭିନ୍ୟୁ)ଭଦ୍ରକ, ତହସିଲଦାର ବନ୍ତ ଓ ନିର୍ବାହୀଯନ୍ତ୍ରୀ କାଡ଼ା,ଭଦ୍ରକଙ୍କୁ ପ୍ରେରଣ ମଧ୍ୟ କରିଥିଲେ । କିନ୍ତୁ ପ୍ରଶାସନ ପକ୍ଷରୁ ଉକ୍ତ ଅଭିଯୋଗକୁ ଗୁରୁତ୍ୱ ନିଆ ନଯିବାକୁ ନେଇ ପୁରୁଷଣ୍ଢ ପଂଚାୟତ ସରପଂଚ ଓ ପାଣି ପଂଚାୟତ ସଭାପତି ପ୍ରମୁଖ ପ୍ରଶାସନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।