ନୂଆଦିଲ୍ଲୀ: ବଲିଉଡରେ ଏମିତି ଏକ ସମୟ ଥିଲା ଯେଉଁ ସମୟରେ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମର ବହୁତ ପ୍ରଭାବ ଥିଲା। ଅନେକ ପ୍ରସିଦ୍ଧ ଚଳଚ୍ଚିତ୍ର ତାରକା ଏବଂ ଚଳଚ୍ଚିତ୍ର ନିର୍ମାତା ଦାଉଦର ବନ୍ଧୁ ଥିଲେ।
ନିକଟରେ ସାମ୍ବାଦିକ ତଥା ଲେଖକ ହୁସେନ ଜୈଦି ପ୍ରକାଶ କରିଛନ୍ତି ଯେ ବରିଷ୍ଠ ଅଭିନେତା ଦିଲୀପ କୁମାର, ଋଷି କପୁର ଏବଂ ଅମଜାଦ ଖାନ ମଧ୍ୟ ଦାଉଦ ଇବ୍ରାହିମକୁ ଭେଟୁଥିଲେ, ତାହା ସହିତ ସମ୍ପର୍କରେ ଥିଲେ। ନାମୀଦାମୀ ଷ୍ଟାରମାନଙ୍କୁ ଅଣ୍ଡରୱାର୍ଲ୍ଡ ଡନ୍ ଦୁବାଇରେ ରାତ୍ରୀଭୋଜନ ପାଇଁ ନିମନ୍ତ୍ରଣ କରୁଥିଲା।
ହୁସେନଙ୍କ କହିବାନୁସାରେ ଦାଉଦ ଫିଲ୍ମରୁ ଟଙ୍କା ରୋଜଗାର କରିବାକୁ ଚାହୁଁ ନଥିଲା, ସେ କେବଳ ହିନ୍ଦୀ ସିନେମାକୁ ଭଲ ପାଉଥିବା ମଣିଷଟିଏ ଥିଲା। ଦାଉଦ ଛୋଟବଡ଼ ସମସ୍ତ ଅଭିନେତ୍ରୀଙ୍କୁ ପସନ୍ଦ କରେ। ଦୁବାଇ ଯାଉଥିବା ସମସ୍ତ ଫିଲ୍ମ ଷ୍ଟାରଙ୍କ ପାଇଁ ଦାଉଦ ରାତ୍ରୀଭୋଜନର ଆୟୋଜନ କରୁଥିଲା। ଦିଲୀପ କୁମାର, ଋଷି କପୁର, ଅମଜାଦ ଖାନଙ୍କ ପରି ଷ୍ଟାରମାନେ ସେମାନଙ୍କର ସାକ୍ଷାତକାରରେ ଦାଉଦ ସହ ସାକ୍ଷାତ ବିଷୟରେ ଅନେକ ଥର ଆଲୋଚନା ବି କରିଛନ୍ତି। ଦାଉଦ ଅଭିନେତା୍ ଓ ଅଭିନେତ୍ରୀମାନଙ୍କୁ ମହଙ୍ଗା ଉପହାର ବି ଦେଇଛି।
ଦାଉଦ ଇବ୍ରାହିମ ଫିଲ୍ମ ପାଇଁ ଟଙ୍କା ଦେଉଥିଲା। ସେ ଜଣେ ପ୍ରଯୋଜକ ଭାବରେ ଚଳଚ୍ଚିତ୍ରଗୁଡ଼ିକୁ ପାଣ୍ଠି ଦେଉ ନଥିଲା, କିନ୍ତୁ ସେ ଟଙ୍କା ଋଣରେ ଦେଉଥିଲା।ସେତେବେଳେ ବେଶୀ ଷ୍ଟୁଡିଓ ନଥିଲା ତେଣୁ ଲୋକମାନେ ଦାଉଦର ଟଙ୍କା ନେଇ ନିଜ ଫିଲ୍ମରେ ନିବେଶ କରୁଥିଲେ । ଫିଲ୍ମ ରିଲିଜ୍ ହେବା ପରେ ସେମାନେ ଦାଉଦକୁ ଧଳା ଟଙ୍କା ଭାବରେ ଫେରାଇ ଦେଉଥିଲେ।
