କଟକ : ଦୁର୍ଘଟଣାରେ ଛିଣ୍ଡିଗଲା ନାବାଳିକାଙ୍କ ଗୋଡ଼। ହେଲେ ଜଣେ ଆମ୍ବୁଲାନ୍ସ ଚାଳକ, ବଡ଼ସାହି ବିଧାୟକ ଓ ଏସ୍ସିବି ମେଡିକାଲର ଡାକ୍ତରୀଦଳଙ୍କ ଉଦ୍ୟମରୁ ନାବାଳିକା ଜଣକ ନିଜ ଗୋଡ଼ ହରାଇବାରୁ ବର୍ତ୍ତି ଯାଇଛନ୍ତି। ଡାକ୍ତରଖାନାରେ ସଫଳତାର ସହ ତାଙ୍କ କଟା ଗୋଡ଼କୁ ଯୋଡ଼ି ଦିଆଯାଇଛି।
ସୂଚନା ଅନୁଯାୟୀ; ଶୁକ୍ରବାର ଅପରାହ୍ଣରେ ବେତନଟୀ ଥାନା ଅଧୀନ ଦାନ୍ତିଆମୁହାଁ-କରଞ୍ଜିଆ ଗାଁର ମମତା ସିଂ (୨୫), ଝିଅ ବୈଷ୍ଣବୀ (୮) ଓ ଭଉଣୀ ତପନୀ ସିଂ (୨୨); ସେହି ଗ୍ରାମର ଜଣେ ଯୁବକଙ୍କ ବାଇକ୍ରେ ବସି ବେତନଟୀ ଅଭିମୁଖେ ଯାଉଥିଲେ। ତେବେ ୧୮ ନମ୍ବର ଜାତୀୟ ରାଜପଥର ତୁଳସୀଚଉରାଠାରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱ ଏକ ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇଯାଇଥିଲା। ଦୁର୍ଘଟଣା ଏତେ ଶକ୍ତିଶାଳୀ ଥିଲା ଯେ, ବାଇକ୍ ସାମ୍ନାରେ ବସିଥିବା କୁନି ଝିଅ ବୈଷ୍ଣବୀର ବାମ ଗୋଡ଼ଟି ସମ୍ପୂର୍ଣ୍ଣ ଛିଣ୍ଡି ଶରୀରରୁ ଅଲଗା ହୋଇଯାଇଥିଲା। ଏଥିସହ ବାଇକ୍ ଚାଳକ ରାଜ, ପଛରେ ବସିଥିବା ମମତା ଓ ତପନୀ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବେତନଟୀ ଡାକ୍ତରଖାନା ନେଇଥିଲେ। ଖବର ପାଇ ସ୍ଥାନୀୟ ବିଧାୟକ ସନାତନ ବିଜୁଳି ଡାକ୍ତରଖାନାରେ ପହଞ୍ଚି କୁନି ଝିଅଟିକୁ ଦେଖିବା ପରେ କଟା ଗୋଡ଼କୁ କେମିତି ଯୋଡ଼ିହେବ, ସେନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହ ଫୋନ୍ରେ କଥା ହୋଇଥିଲେ। ମନ୍ତ୍ରୀଙ୍କ ପରାମର୍ଶକ୍ରମେ ବୈଷ୍ଣବୀଙ୍କୁ କଟାଗୋଡ଼ ସହ ତୁରନ୍ତ କଟକ ଏସ୍ସିବି ଡାକ୍ତରଖାନା ନେବାର ବ୍ୟବସ୍ଥା କରାଯାଇଥିଲା। ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କଟକରେ ନ ପହଞ୍ଚିଲେ ଏହି ଅସ୍ତ୍ରୋପଚାର ସମ୍ଭବ ହେବନି ବୋଲି ଡାକ୍ତରୀଦଳ କହିଥିଲେ।
ତେବେ ବେତନଟୀ ଡାକ୍ତରଖାନାର ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ଶିବାଶିଷ ସିଂ କିନ୍ତୁ ହାର୍ ମାନି ନଥିଲେ। ମାତ୍ର ୩ ଘଣ୍ଟା ମଧ୍ୟରେ ବେତନଟୀରୁ କଟକ, ୨ଶହ କିମି ରାସ୍ତା ଅତିକ୍ରମ କରି ବୈଷ୍ଣବୀକୁ ଡାକ୍ତରଖାନାରେ ପହଞ୍ଚାଇ ଦେଇଥିଲେ। ସେପଟେ ପୂର୍ବରୁ ପ୍ରସ୍ତୁତ ଥିବା ଡାକ୍ତରୀଦଳ ତୁରନ୍ତ ଅସ୍ତ୍ରୋପଚାର ଆରମ୍ଭ କରିଥିଲେ ଓ ବୈଷ୍ଣବୀଙ୍କ କଟା ଗୋଡ଼କୁ ସଫଳତାର ସହ ଯୋଡ଼ି ପାରିଥିଲେ। ଏବେ କୁନି ଝିଅଟିର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଆଜି ବିଧାୟକ ଶ୍ରୀ ବିଜୁଳି ଏସ୍ସିବିରେ ପହଞ୍ଚି ବୈଷ୍ଣବୀଙ୍କୁ ଭେଟିବା ସହ ଅସ୍ତ୍ରୋପଚାର କରିଥିବା ଡାକ୍ତରୀଦଳଙ୍କୁ ଧନ୍ୟବାଦ ଜଣାଇଛନ୍ତି।
