ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟରେ ହେବ ନବୋନ୍ମେଷ-ନବସୄଜନ ନାମକ ପ୍ରତିଯୋଗିତା 

ରାଜ୍ୟ
ବାରିପଦା: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଆସନ୍ତା ୧୮-୦୩-୨୦୨୫ ଠାରୁ ୧୯-୦୩-୨୦୨୫ ପର୍ଯ୍ୟନ୍ତ “ନବୋନ୍ମେଷ – ନବସୃଜନର ନୂତନ ଅଧ୍ୟାୟ” ନାମକ ଏକ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଅଛି । ଭାରତ ସରକାରଙ୍କ ପି.ଏମ୍‌ ଉଷା କାର୍ଯ୍ୟକ୍ରମର ଆନୁକୂଲ୍ୟରେ ବିଶ୍ୱବିଦ୍ୟାଳୟର ମିଡ଼ିଆ କ୍ଲବ୍‌ ଓ ରିସର୍ଚ୍ଚ୍‌ କ୍ଲବ୍‌ର ମିଳିତ ସହଯୋଗରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ “ପୋଷ୍ଟର”, “ରିଲ୍‌ସ୍‌” ଓ “ମଡେଲ/ପ୍ରୋଟୋଟାଇପ୍‌” ଆଦି ପ୍ରତିଯୋଗିତା ସ୍ନାତକ ଓ ସ୍ନାତକୋତ୍ତର ଭିନ୍ନ ଭିନ୍ନ ବର୍ଗରେ ଅନୁଷ୍ଠିତ ହେବ ।  ଏହି ପ୍ରତିଯୋଗିତାରେ ଓଡ଼ିଶାର ଯେକୌଣସି ବି ସ୍ନାତକ କିମ୍ବା ସ୍ନାତକୋତ୍ତର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିପାରିବେ । ୧୮ ତାରିଖରେ ପୋଷ୍ଟର ଓ ରିଲ୍‌ସ୍‌ ପ୍ରତିଯୋଗିତା ଏବଂ ୧୯ ତାରିଖରେ ମଡେଲ/ପ୍ରୋଟୋଟାଇପ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ । ୧୯ ତାରିଖରେ ମୂଲ୍ୟାୟନ ସହ ବିଜେତାଙ୍କୁ କ୍ୟାଶ୍‌ ପୁରସ୍କାର ପ୍ରଦାନ କରାଯିବ । ଏ ଅବସରରେ ନାଟ୍ୟଚେତନାର ସୁଜାତା ପ୍ରିୟମ୍ବଦା ତାଙ୍କରି ଲୋକପ୍ରିୟ ନାଟକ ‘ରେବତୀ ଏବତୀ ସେବତୀ’ ପରିବେଷଣ କରିବେ । ଏହି କାର୍ଯ୍ୟକ୍ରମର ପ୍ରସ୍ତୁତି ବର୍ତ୍ତମାନ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ବାରିପଦା ତଥା ବିଶ୍ୱବିଦ୍ୟାଳୟରେ ଏଭଳି ଏକ ଭିନ୍ନ ଧରଣର ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବାରୁ ଛାତ୍ରଛାତ୍ରୀଗଣ ବେଶ୍‌ ଉତ୍ସାହିତ ଅଛନ୍ତି । ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବା ନିମନ୍ତେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ, ପି.ଏମ୍‌ ଉଷାର ବିଶ୍ୱବିଦ୍ୟାଳୟର ନୋଡାଲ୍‌ ଅଧିକାରୀ ପ୍ରଫେସର ଇନ୍ଦ୍ରଜିତ ନାଏକ, କୁଳସଚିବ ସୁମିତା ସିଂ, ବିତ୍ତ ନିୟନ୍ତ୍ରକ ଶ୍ରୀ ଶୁକଦେବ ତରେଇ, ମିଡ଼ିଆ କ୍ଲବ୍‌ର ସଂଯୋଜକ ଡ. ସ୍ୱରୂପାନନ୍ଦ ବିଷୟୀ, ରିସର୍ଚ୍ଚ୍‌ କ୍ଲବ୍‌ର ସଂଯୋଜିକା ଡ. କୁକୁ ମହାପାତ୍ର ପ୍ରମୁଖ ବିଶ୍ୱବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା, ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଛାତ୍ରଛାତ୍ରୀ ଏବଂ ସମସ୍ତ  ମିଡ଼ିଆ ର ପ୍ରତିନିଧିମାନଙ୍କ ସହଯୋଗ କାମନା କରିଛନ୍ତି ।
Shrutilipi ad