ଭୁବନେଶ୍ଵର: ଖୁବଶୀଘ୍ର ରାଜ୍ୟରେ ହେବ ସକାଳୁଆ ସ୍କୁଲ । ସକାଳୁଆ ସ୍କୁଲ୍ ନେଇ ଶୀଘ୍ର ନିଷ୍ପତ୍ତି ନିଆଯିବ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ତେବେ ରାଜ୍ୟରେ ଦିନକୁ ଦିନ ତାତି ବଢ଼ୁଛି । ସରକାର ଏନେଇ ଅବଗତ ଅଛନ୍ତି । କେବେ ସକାଳୁଆ ସ୍କୁଲ୍ ହେବ ସେନେଇ ରାଜସ୍ବ ବିଭାଗ ସହ ଆଲୋଚନା ହେବ । ଆଲୋଚନା ହେବା ପରେ ଏହା ଉପରେ ନିଶ୍ଚୟ ନିଷ୍ପତ୍ତି ନେବୁ ବୋଲି କହିଛନ୍ତି ମନ୍ତ୍ରୀ ।
ସୂଚନା ଅନୁସାରେ, ରାଜ୍ୟରେ ଉପର ମୁହାଁ ପାରଦ । ରେକର୍ଡ ଭାଙ୍ଗୁଛି ତାତି । ତାତିର ପ୍ରକୋପକୁ ଦୃଷ୍ଟିରେ ରଖି ରାଜ୍ୟରେ ଖୁବ ଶୀଘ୍ର ସକାଳୁଆ ସ୍କୁଲ ହେବ । ମାର୍ଚ୍ଚ ମାସ ଶେଷ ନ ହଉଣୁ ରାଜ୍ୟରେ ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଛି ଗ୍ରୀଷ୍ମ ପ୍ରବାହ। ଏପ୍ରିଲ ମେଁ ଠାରୁ ବି ଅଧିକ ଖରା ମାର୍ଚ୍ଚ ମାସରେ ଅନୁଭୂତ ହେଉଛି । ଏବେଠାରୁ ୪୧/୪୨ ଡିଗ୍ରୀ ପାରଦ ଛୁଇଁଲାଣି। ତେଣୁ ଖରାକୁ ଦୃଷ୍ଟିରେ ରଖି ସରକାର ସକାଳୁଆ ଛୁଟି ଘୋଷଣା କରିପାରନ୍ତି ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ।
ଅନ୍ୟପଟେ ମାର୍ଚ୍ଚ ଅଧାରୁ ସାରା ରାଜ୍ୟରେ ନିଆଁ ବର୍ଷା ହେଉଛି । ଆଗକୁ ତାପମାତ୍ରା ଆହୁରି ବୃଦ୍ଧି ପାଇବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଆଜି ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ୩ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ସମ୍ବଲପୁର, ଝାରସୁଗୁଡା ଓ କଳାହାଣ୍ଡି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ସେହିପରି ୪ଟି ଜିଲ୍ଲା ଅନୁଗୁଳ, ସୁନ୍ଦରଗଡ଼, ସୋନପୁର ଓ ବୌଦ୍ଧକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଏଥିସହ ମୟୂରଭଞ୍ଜ, ଭଦ୍ରକ, ଢେଙ୍କାନାଳ, ବଲାଙ୍ଗୀର, ଗଜପତି, କେନ୍ଦୁଝର, କଟକ, କେନ୍ଦ୍ରାପଡ଼ା, ପୁରୀ, ଗଞ୍ଜାମ ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।