Rama

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କାଲି ହେବ ରମାକାନ୍ତ ରଥଙ୍କ ଶେଷକୃତ୍ୟ

State

ଭୁବନେଶ୍ୱର: ଆଉ ନାହାନ୍ତି ଶ୍ରୀରାଧା’ର ସ୍ରଷ୍ଟା ତଥା ପ୍ରଖ୍ୟାତ ସାହିତ୍ୟିକ ରମାକାନ୍ତ ରଥ। ୯୧ ବର୍ଷ ବୟସରେ ତାଙ୍କର ଭୁବନେଶ୍ୱର ଖାରବେଳନଗର ସ୍ଥିତ ବାସଭବନରେ ଦେହାନ୍ତ ହୋଇଛି। ଆସନ୍ତାକାଲି ପୁରୀ ସ୍ବର୍ଗଦ୍ବାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

୧୯୩୪ ମସିହା ଡିସେମ୍ବର ୧୩ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ ରମାକାନ୍ତ । ରେଭେନ୍ସା କଲେଜରୁ ଇଂରାଜୀରେ ସ୍ନାତକ ହାସଲ କରିବା ପରେ ୧୯୫୭ ମସିହାରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ ଏବଂ ୧୯୯୨ରେ ଅବସର ଗ୍ରହଣ କରିବା ପୂର୍ବରୁ ଓଡ଼ିଶାର ମୁଖ୍ୟ ସଚିବ ଥିଲେ । ଏଥିସହିତ ସେ ଥିଲେ ଜଣେ ବିଶିଷ୍ଟ କବି। କେନ୍ଦ୍ର ସାହିତ୍ୟ ଏକାଡେମୀ ୧୯୭୮ ମସିହାରେ ତାଙ୍କ କବିତା ସଂକଳନ ସପ୍ତମ ଋତୁ ପାଇଁ ତାଙ୍କୁ ପୁରସ୍କୃତ କରିଥିଲା । ୧୯୮୪ରେ ସଚିତ୍ର ଅନ୍ଧାର ପାଇଁ ତାଙ୍କୁ ଶାରଳା ପୁରସ୍କାର ମିଳିଥିଲା । ୧୯୯୨ ମସିହାରେ ସେ ସରସ୍ୱତୀ ସମ୍ମାନରେ ସମ୍ମାନୀତ ହୋଇଥିଲେ । ୨୦୦୬ରେ ପଦ୍ମଭୂଷଣରେ ସମ୍ମାନୀତ ହୋଇଥିଲେ ରମାକାନ୍ତ ।

ରମାକାନ୍ତ ରଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ପଦ୍ମ ଭୂଷଣ ପୁରସ୍କାରପ୍ରାପ୍ତ ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ସାହିତ୍ୟିକ ରମାକାନ୍ତ ରଥଙ୍କ ଦେହାନ୍ତ ବିଷୟରେ ଜାଣିବା ପରେ ତାଙ୍କ ପରି ମହାନ ସାହିତ୍ୟିକ ଓ ଯୁଗସ୍ରଷ୍ଟାଙ୍କୁ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ କରାହେବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।