ଭୁବନେଶ୍ଵର: ହୋଲି ଖେଳ ବେଳେ ରାଜଧାନୀରେ ଗଡ଼ିଲା ୨ ମୁଣ୍ଡ । ସହିଦନଗର ଶାନ୍ତିପଲ୍ଲୀ ବସ୍ତିରେ ଛୁରି ଭୁସି ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ମଞ୍ଚେଶ୍ବର ଥାନା ସମେଇଗାଡ଼ିଆରେ ଆଉ ଜଣଙ୍କୁ ହତ୍ୟା କରାଯାଇଛି । ହତ୍ୟା କାଣ୍ଡର କାରଣ ଜଣାପଡିନଥିବା ବେଳେ ଉଭୟ ସ୍ଥାନରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଗୋଟେ ପଟେ ହୋଲି ସେଲିବ୍ରେସନ ଚାଲିଥିବା ବେଳେ ସେପଟେ ରାଜଧାନୀ ଭୁବନେଶ୍ଵରରେ ଗଡିଛି ଦୁଇ ଦୁଇଟି ମୁଣ୍ଡ । ମଞ୍ଚେଶ୍ଵର ସମେଇଗାଡିଆରେ ଜଣେ ଯୁବକଙ୍କୁ ଛୁରା ମାଡ କରାଯାଇଛି । ଗୁରୁତର ଅବସ୍ଥାରେ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ ଯୁବକ ଜଣଙ୍କ ହେଉଛନ୍ତି ସମେଇଗାଡିଆର ଆୟୁଷ୍ମାନ ପତି । ତେବେ କେଉଁ କାରଣରୁ ଛୁରା ମାଡ ହେଲା ସେନେଇ କୌଣସି ସୂଚନା ମିଳିନଥିବା ବେଳେ ଘଟଣା ସ୍ଥଳରେ ମଞ୍ଚେଶ୍ୱର୍ ଆଇଆଇସି ଏବଂ ଜୋନ୫ ଏସିପି ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି ।
ସେପଟେ ସହିଦନଗର ଶାନ୍ତିପଲ୍ଲୀ ବସ୍ତିରେ ଛୁରି ଭୁସି ଜଣଙ୍କୁ ହତ୍ୟା କରାଯାଇଛି । ମଦ ନିଶାରେ ଏକାଧିକ ଲୋକ ଆକ୍ରମଣ କରିଥିବା ଜଣାପଡିଛି । ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ଜଣଙ୍କ ହେଉଛନ୍ତି ଗୁପି ଗୁଣି । ସହିଦନଗର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।