ଭୁବନେଶ୍ବର: ସର୍ବକାଳୀନ ରେକର୍ଡ ଭାଙ୍ଗୁଛି ସୁନା ଦର । ସେ ଦିଲ୍ଲୀ ହେଉକି ଭୁବନେଶ୍ବର ସବୁଠି ସୁନା ଦରରେ ନିଆଁ । ଗ୍ରାହକଙ୍କ ଚାହିଦା ଯେତେ ବଢୁଛି, ସେତେ ଦର ମଧ୍ୟ ହୁ ହୁ ହୋଇ ବଢିବାରେ ଲାଗିଛି । ଗତକାଲି ଭୁବନେଶ୍ବରରେ ପ୍ରମୁଖ ସୁନା ଦୋକାନ ଗୁଡିକରେ ସୁନା ଦର ୮୮ ହଜାର ଥିବା ବେଳେ ଆଜି ଏହା ୫୫୦ରୁ ୬୦୦ ଟଙ୍କା ଭଳି ବୃଦ୍ଧି ଘଟିଛି । ଆଜି ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୮୮,୫୮୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୮୧, ୨୦୦ ଟଙ୍କା ରହିଛି । ଗତ ଦୁଇ ଦିନରେ ପ୍ରାୟ ୧୧୦୦ ଟଙ୍କା ବଢ଼ିଲାଣି ସୁନା ଦର ।
ସେପଟେ ସୁନା ଦର ଯେତେ ବଢୁଛି, ଲୋକଙ୍କ ଆବଶ୍ୟକତା ମଧ୍ୟ ସେତେ ବଢୁଛି । ତେଣୁ ବାଧ୍ୟ ହୋଇ ଏହି ଚଢା ଦରରେ ସୁନା କିଣୁଛନ୍ତି ଗ୍ରାହକ । କେବଳ ଗତ ୧୦ ତାରିଖରେ ଟିକିଏ କମିଥିଲା ସୁନା ଦର । ଏହା ପରଠୁ ଲଗାତାର ୩ ଦିନ ହେଲାଣି ବଢି ଚାଲିଛି ଦର । ଚଳିତ ମାସର ବିଗତ ୧୩ ଦିନ ମଧ୍ୟରେ ସୁନା ଦରରେ ପାଖାପାଖି ୨.୨୭ ପ୍ରତିଶତ ବୃଦ୍ଧି ଘଟିଛି । ଦରରେ ଏଭଳି ବୃଦ୍ଧି ଜାରି ରହିଲେ ସୁନା ଦର ଶୀଘ୍ର ୧ ଲକ୍ଷ ଟଙ୍କା ଛୁଇଁବା ସମ୍ଭାବନା ରହିଛି।
ତେବେ ଏହାକୁ ନେଇ ବିଶେଷଜ୍ଞଙ୍କ କହିବାନୁଯାୟୀ, ସୁନା ଦର ରେକର୍ଡ ସଂଖ୍ୟକ ବୃଦ୍ଧି ଘଟିବା ପରେ, ଏହାକୁ ନେଇ ଗ୍ରାହକଙ୍କ କ୍ରୟରେ ମଧ୍ୟ ବଡ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । କେବଳ ଆବଶ୍ୟକତା ମେଶ ସ୍ତରରେ ପହଞ୍ଚିବା ପରେ ଗ୍ରାହକଙ୍କ କ୍ରୟ ବ୍ୟବହାରରେ କିଛିଟା ପରିବର୍ତ୍ତନ ଆସିଛି। କେବଳ ଆବଶ୍ୟକତା ମେଣ୍ଟାଇବା ପାଇଁ ଗ୍ରାହକମାନେ ସୁନା କିଣୁଛନ୍ତି । ଆଉ ସଉକ ପାଇଁ ସୁନା କିଣୁଥିବା ଗ୍ରାହକମାନେ ଭାବିଚିନ୍ତି ସୁନା ଛୁଉଁଛନ୍ତି । ଏଥିସହିତ ଏହି ଦିନ ମାନଙ୍କରେ ଅଧିକାଂଶ ଗ୍ରାହକ ମୁଖ୍ୟତଃ ହାଲୁକା ଓଜନର ସୁନା ଗହଣା କିଣିବାକୁ ବେଶୀ ବସନ୍ଦ କରୁଛନ୍ତି । ଆଉ ଯେଉଁମାନେ କେବଳ ନିବେଶ ପାଇଁ ୨୪ କ୍ୟାରେଟ୍ ସୁନା କିଣୁଛନ୍ତି ବି, ସେମାନେ କେବଳ ଭବିଷ୍ୟତରେ ଭଲ ରିଟର୍ଣ୍ଣ ପାଇବା ଆଶାରେ, ତାହା କିଣୁଛନ୍ତି ।
ତେବେ କେବଳ ସୁନା ନୁହେଁ, ରୂପା ଦର ମଧ୍ୟ ବିଗତ ଦିନ ମାନଙ୍କରେ ବଢିବାରେ ଲାଗିଛି । ଗୁରୁବାର କିଲୋଗ୍ରାମ ପିଛା ୧ ଲକ୍ଷ ୧୦ ହଜାର ଟଙ୍କାରେ ପହଞ୍ଚିଛି ରୂପା ଦର । ଗତ ଦୁଇଦିନ ମଧ୍ୟରେ ରୁପା ଦର କିଲୋଗ୍ରାମ୍ ପିଛା ୩ ହଜାର ଟଙ୍କା ବୃଦ୍ଧି ଘଟିଛି ।