ରାୟଗଡା: ସୁଦୂର ଆନ୍ଧ୍ରପ୍ରଦେଶରୁ ଓଡିଶା ବୁଲିବାକୁ ଆସିଥିଲେ ପରିବାର ଲୋକେ । ମଜା କରିଥାନ୍ତେ, ଖୁସି ହେଇଥାନ୍ତେ ଆଉ ସେଲଫି ଉଠାଇ ସ୍ମୃତିକୁ ସାଇତି ରଖିଥାନ୍ତେ । ହେଲେ ଏହି ବୁଲା ଯେ ସେମାନଙ୍କ ପାଇଁ ଏକ ଅପୂରଣୀୟ ସ୍ମୃତି ହୋଇଯିବ ତାହା କାହାକୁ ବି ଜଣାନଥିଲା । ଏହି ମଉଜ ମଜଲିସ ବୁଲାବୁଲିରେ ଜଣଙ୍କର ଜୀବନ ଚାଲିଯିବ ତାହା କେହି କେବେ ସ୍ୱପ୍ନରେ ସୁଦ୍ଧା କଳ୍ପନା କରିନଥିଲେ । ଏଭଳି ଏକ ଦୁଃଖଦାୟୀ ଘଟଣା ଘଟିଛି ରାୟଗଡାର ନାଗାବଳୀ ନଦୀରେ । ଫଟୋ ଉଠାଇବା ହେଲା କାଳ ।
ନଦୀର ଗଭୀର ପାଣିରେ ବୁଡି ଆନ୍ଧ୍ରପ୍ରଦେଶର ଜଣେ ପର୍ଯ୍ୟଟକ ମୃତ୍ୟୁବରଣ କରିଛନ୍ତି । ମୃତକ ହେଲେ ଆନ୍ଧ୍ରପ୍ରଦେଶ ବିଜୟୱ।ଡା ପାଡମେଟା ଗ୍ରାମର ସାଇ କ୍ରୀଷ୍ଣା । ବୟସ ମାତ୍ର ୧୮ ବର୍ଷ ହେବ । ଗତକାଲି ବିଜୟୱ।ଡାରୁ ଏକ ପରିବାରର ୧୬ ଜଣ ପର୍ଯ୍ୟଟକ ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ଦର୍ଶନ କରିବା ପାଇଁ ଆସିଥିଲେ । ମା’ଙ୍କୁ ଦର୍ଶନ କରି ସାରି ଆଜି ସକାଳ ୧୧ଟା ସମୟରେ ଏହି ପର୍ଯ୍ୟଟକମାନେ ମାରିଗୁଡା ଦେଇ ପ୍ରବାହିତ ହେଉଥିବା ନାଗାବଳୀ ନଦୀରେ ଗାଧୋଇବାକୁ ଆସିଥିଲେ ।
ନଦୀରେ ଟିକେ ଗାଧୋଇ ମଜା କରି ଘରକୁ ଫେରିବେ ଭାବିଥିଲେ । ହେଲେ ମଜା ସଜାରେ ପାଲଟିଗଲା । ଫଟୋ ଉଠାଇବା ସମୟରେ ଚାଲିଗଲା ଜଣକ ଜୀବନ । ପରିବାର ଲୋକେ ଗାଧେଇବା ସମୟରେ ସାଇ କ୍ରୀଷ୍ଣ ନଦୀ ଭିତରକୁ ଯାଇ ଫଟୋ ଉଠାଉଥିଲେ । ତେବେ ନଦୀର ଗଭୀର ସ୍ରୋତରେ ହଠାତ ସାଇ ଭାସିଯାଇଥିଲେ । ପରିବାର ଲୋକେ ପାଖରେ ଥାଇ ବି ବଞ୍ଚାଇ ପାରିଲେନି, ନିରୁପାୟ ହେଇଗଲେ । ଚାହିଁକି ବି ଜୀବନ ବଞ୍ଚାଇପାରିଲେନି ପୁଅର । ଆଉ ଏସବୁ ହୋଇଛି ସେହି ସେଲଫି ପାଇଁ ।
ସେଲଫି ନେଉଥିବାବେଳେ ଗଭୀର ପାଣି ଭିତରକୁ ପଶିଗଲା ପୁଅ । ଆଉ ଜଳରେ ହିଁ କୁଆଡେ ଉଭେଇ ହେଇଗଲା । ଯେତେ ଖୋଜିଲେ ବି ମିଳିଲାନି । ପରିବାର ଲୋକେ ସାଇକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ । ପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ଯାଇ ମୃତ ସାଇକ୍ରୀଷ୍ଣାକୁ ଉଦ୍ଧାର କରିଥିଲେ । ଯାହାପରେ ପୋଲିସ ତାଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି ।
ତେବେ ଝୁଲା ପୋଲ ନିକଟସ୍ଥ ନାଗାବଳୀ ନଦୀ ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥିଲେ ମଧ୍ୟ ପ୍ରତିବର୍ଷ ଅନେକ ପର୍ଯ୍ୟଟକ ଏହି ନଦୀରେ ଗାଧେଇବାକୁ ଆସି ଏଠାରେ ମୃତ୍ୟୁବରଣ କରୁଛନ୍ତି । ଦର୍ଶକବନ୍ଧୁ ଦେଖିଲେ ତ ନଦୀରେ ଫଟୋ ଉଠେଇବା ନିଶା ଯୋଗୁଁ କିଭଳି ଅଘଟଣ ଘଟୁଛି । ତେଣୁ ଆପଣ ଯଦି ଏଭଳି ସ୍ଥାନକୁ ବୁଲିବାକୁ ଯାଉଛନ୍ତି ତେବେ ଫଟୋ ଉଠାନ୍ତୁ ମନା ନାହିଁ । କିନ୍ତୁ ଏଭଳି ବିପଦପୂର୍ଣ୍ଣ ସ୍ଥାନକୁ ଯାଇ ଫଟୋ ଉଠାଇବା ଠାରୁ ଦୂରେଇ ରୁହନ୍ତୁ ।