ଆଗରପଡ଼ା :ଓଡ଼ିଶା ସମେତ ସାରା ବିଶ୍ୱର ହିନ୍ଦୁ ସମ୍ପ୍ରଦାୟର ଗଣପର୍ବ ଭାବେ ପାଳିତ ହେଉଥିବା ଦୋଳ ମେଲଣ ବା ହୋଲି ପର୍ବକୁ ଲୋକେ ଖୁବ୍ ଧୁମଧାମ, ଆନ୍ତରିକତା ତଥା ଭକ୍ତିଭାବରେ ପାଳନ କରୁଥିବା ବେଳେ ଆବାଳବୃଦ୍ଧବନିତାଙ୍କ ମଧ୍ୟରେ ଅହେତୁକ ଉନ୍ମାଦନା ଦେଖା ଯାଇଥାଏ । ସ୍ଥାନେ ସ୍ଥାନେ ପ୍ରାୟ ଏକ ମାସ ପର୍ଯ୍ୟନ୍ତ ଏହି ପର୍ବ ପାଳିତ ହେଉଥିବା ବେଳେ ମେଳା ଓ ଯାତ୍ରାର ପସରା ଖୋଲା ଯାଇଥାଏ ଭକ୍ତ ତଥା ପର୍ଯ୍ୟଟକଙ୍କ ପାଇଁ । । ଏହି ଆଧାରରେ ଆଗରପଡ଼ା ସ୍ଥିତ ଡ଼ାଏଟ ନିକଟସ୍ଥ ରାମଗଡ଼ପଦା ମେଲଣ ପଡ଼ିଆରେ ପ୍ରତିବର୍ଷ ଦୋଳ ପୁର୍ଣ୍ଣିମା ଉପଲକ୍ଷେ ହେଉଥିବା ଦୋଳ ମେଲଣ ଉତ୍ସବ ଆଖପାଖ ତିନୋଟି ଜିଲ୍ଲାର ଜନମାନସରେ ବେଶ ପ୍ରଭାବ ବିସ୍ତର କରିଥାଏ । ଏହି ମେଲଣ ସମ୍ପର୍କରେ ଲୋକମୁଖରେ ବହୁ କଥା ଶୁଣା ଯାଏ । ଜମିଦାରୀ ଉଚ୍ଛେଦର ଅନେକ ପୂର୍ବରୁ ମାହାଲ ରାଜବଂଶ ଓ ମାହାଜୀବ ରାଜବଂଶ (ସେତେବେଳର ଜମିଦାରଙ୍କୁ ପ୍ରଜାମାନେ ରାଜା ବୋଲି ସମ୍ବୋଧନ କରୁଥିଲେ)ର ପ୍ରାସାଦ ପରିସରରେ ରାଧାଗୋବିନ୍ଦଙ୍କର ଏହି ଝୁଲଣ ଓ ରଂଗ ଖେଳ ଉତ୍ସବ ମହା ଆଡ଼ମ୍ବରରେ ପାଳନ କରା ଯାଉଥିଲା । ଏହି ଉତ୍ସବରେ ସାଧାରଣ ପ୍ରଜାମାନେ ସାମିଲ ହେବା ଏତେ ସୁବିଧାଜନକ ନଥିଲା । ରାଜାଙ୍କ ଗଡ଼ ପରିସର ଅନ୍ତର୍ଗତ ସୀମୀତ ସ୍ଥାନରେ ଏହି ଉତ୍ସବ ପାଳନର ଝଲକ ଅଲଗା ଥିଲେ ମଧ୍ୟ ଏହା ପ୍ରଜାଭିମୁଖୀ ହୋଇ ପାରୁନଥିଲେ ହେଁ ଏହି ଉତ୍ସବ ପ୍ରତି ପ୍ରବଳ ଜନ ସମର୍ଥନ ରହିଥିଲା । ସରକାରୀ ଭାବେ ୧୯୪୮ ମସିହାରେ ଜମିଦାରୀ ପ୍ରଥା ଉଚ୍ଛେଦ ହୋଇଥିଲା । ଏହା ପରେ ସ୍ଥାନୀୟ ଜନସାଧାରଣ ଏହି ଦୋଳ ମେଲଣକୁ ସାର୍ବଜନୀନ କରିବା ପାଇଁ ମିଳିତ ଭାବେ ଉଦ୍ୟମ କରି ୧୯୫୩ ମସିହାରେ ରାମଗଡ଼ପଦା ମେଲଣ କମିଟି ଗଠନ କରି ସେବେ ଠାରୁ ଅଦ୍ୟାବଧି ଏକ ପ୍ରକାର ଦୋଳ ମେଲଣ ଉତ୍ସବ ଅନୁଷ୍ଠିତ କରି ଆସୁଛନ୍ତି । ୧୯୬୭ ମସିହାରେ କେତେକ ରାଜବଂଶ ପୁନର୍ବାର ଉକ୍ତ ମେଲଣକୁ ତାଙ୍କର ଗଡ଼ ପରିସରରେ କରାଇଥିଲେ । ପୁନର୍ବାର ୧୯୭୫ ମସିହାରେ ଡ଼ ହରେକୃଷ୍ଣ ମହତାବ (ମାହାଜୀବ) ରାଜ ପରିବାରର ଠାକୁରଙ୍କ ବ୍ୟତୀତ ରାମନାରାୟଣ ରାୟ (ମାହାଲ ରାଜବଂଶ)ଙ୍କ ଅନନ୍ତ ମାଧବଜୀଉ ଠାକୁରଙ୍କ ବିମାନ ଏବଂ କିଶୋର ମୋହନ ସିଂହଙ୍କ ଜଗନ୍ନାଥ ମନ୍ଦିରର ବିମାନ, ସାର୍ବଜନୀନ ରାମଗଡ଼ପଦା ମେଲଣରେ ସାମିଲ ହୋଇଥିଲେ । ମହତାବଙ୍କ ସାନଭାଇ ଗୋପିନାଥ ଦାସ, ତାଙ୍କ ରାଜପ୍ରାସାଦର ବିମାନଙ୍କୁ ନେଇ ଉକ୍ତ ପ୍ରାସାଦ ପରିସରରେ ହିଁ ମେଲଣ ପର୍ବ ଆରମ୍ଭ କରିଥିଲେ ।
ତତ୍ ପରଠାରୁ ଅଧ୍ୟାବଧି ଡ଼ଃ ମହତାବଙ୍କ ସୁପୁତ୍ର ଭର୍ତ୍ତୁହରି ମହତାବଙ୍କ ତତ୍ୱାବଧାନରେ ଏହିପର୍ବ ପାଳିତ ହୋଇ ଆସୁଅଛି । ୧୯୬୭ ମସିହାରେ ଏଠାରେ ସି.ଟି. ସ୍କୁଲ୍ ସ୍ଥାପନ ବେଳେ ଠିକାଦାର ଜ୍ଞାନ ସିଂ ରାମଗଡପଦା ମେଲଣ ପଡ଼ିଆର ମଧ୍ୟଭାଗରେ ଇଂରାଜୀ ‘ସି’ ଅକ୍ଷର ପରି ଏକ ତିନି ବାହୁ ବିଶିଷ୍ଟ ପକ୍କା ପିଣ୍ଡି ନିର୍ମାଣ କରାଇଥିଲେ । ସେହି ପିଣ୍ଡି ଉପରେ ବିଭିନ୍ନ ପ୍ରାନ୍ତରରୁ ଆସୁଥିବା ଦୋଳ ବିମାନଗୁଡିକୁ ରଖା ଯାଇଥାଏ । ଏହି ମେଲଣ ଏ ଅଂଚଳର ଏକ ଗଣପର୍ବ ଏବଂ କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ ଓ ଯାଜପୁର ଆଦି ୫ଟି ଜିଲ୍ଲାରୁ ଯାତ୍ରୀମାନେ ପ୍ରବଳ ଉତ୍ସାହର ସହ ଏହି ମେଲଣ ଦେଖିବାକୁ ଏବଂ ହୋଲି ଖେଳିବା ସହ ଖଣ୍ଡ ହଳଦୀ କିଣିବାର ଏକ ବିଶେଷ ଲକ୍ଷ୍ୟ ରଖିଥାନ୍ତି । ସେମାନେ ଏହି ହଳଦୀକୁ ହୋଲି ହଳଦୀ ନାମରେ ଉଚ୍ଚାରଣ କରିଥାନ୍ତି । ହିନ୍ଦୁମାନଙ୍କ ଏହି ପରମ୍ପରାକୁ ସ୍ୱାଗତ ଜଣାଇ ସ୍ଥାନୀୟ ମୁସଲମାନ ଭାଇମାନେ ବିଭିନ୍ନ ବାଡ଼ି ଖେଳ, ବାଡ଼ି ଆଗରେ ନିଆଁ ହୁଳା ବାନ୍ଧି ଚିତ୍ତାକର୍ଷକ ଅଗ୍ନିଖେଳ ପ୍ରଦର୍ଶନ କରି ଆତସବାଜିର ଚମତ୍କାରିତା ମଧ୍ୟରେ ମହତାବ ଛକ ଠାରୁ ବାହାରି ମେଲଣ ପଡିଆରେ ପହଂଚିଥାନ୍ତି । ଏହି ପାରମ୍ପରିକ ମେଲଣ ପର୍ବ ହିନ୍ଦୁ-ମୁସଲମାନଙ୍କ ଭାଇଚାରାର ପ୍ରତୀକ ଭାବେ ମଧ୍ୟ ଦଣ୍ଡାୟମାନ ହୋଇଥିବାର ଦେଖାଯାଏ । ଏହି ମେଲଣକୁ ୩ଟି ଜିଲ୍ଲାର ଶାନ୍ତି, ସଦ୍ଭାବନା, ସୌହାର୍ଦ୍ଦ୍ୟ ତଥା ଭାଇଚାରାର ଏକ ଅପୂର୍ବ ପରମ୍ପରା ବୋଲିି କହିିିଥାନ୍ତି ।