ନୂଆଦିଲ୍ଲୀ,୧୩।୩: ଶୁକ୍ରବାର (୧୪ ମାର୍ଚ୍ଚ, ୨୦୨୫) ରଙ୍ଗର ପର୍ବ ହୋଲି ପାଳନ କରିବାକୁ ସାରା ଦେଶ ପ୍ରସ୍ତୁତ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର (୧୩ ମାର୍ଚ୍ଚ) ଦେଶବାସୀଙ୍କୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି, ‘ଆପଣମାନଙ୍କୁ ସମସ୍ତଙ୍କୁ ହୋଲିର ବହୁତ ବହୁତ ଶୁଭକାମନା। ଆନନ୍ଦ ଏବଂ ଖୁସିରେ ପରିପୂର୍ଣ୍ଣ ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ନୂତନ ଉତ୍ସାହ ଏବଂ ଶକ୍ତି ସଞ୍ଚାର କରୁ ଏବଂ ଦେଶବାସୀଙ୍କ ମଧ୍ୟରେ ଏକତାର ରଙ୍ଗକୁ ଆହୁରି ଗଭୀର କରୁ।’
ଦିଲ୍ଲୀ, ୟୁପି ସମେତ ଦେଶର ଅନେକ ରାଜ୍ୟରେ ହୋଲି ଦିନ ଆଇନ ଶୃଙ୍ଖଳା ଏବଂ ଶାନ୍ତି ବଜାୟ ରଖିବା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି। ଦିଲ୍ଲୀରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ, ଅର୍ଦ୍ଧସାମରିକ ବାହିନୀ ସହିତ ୨୫,୦୦୦ରୁ ଅଧିକ ପୋଲିସ କର୍ମଚାରୀ ସହରରେ କଡ଼ା ନଜର ରଖିବେ। ପୋଲିସ ୩୦୦ରୁ ଅଧିକ ସମ୍ବେଦନଶୀଳ ସ୍ଥାନ ଚିହ୍ନଟ କରିଛି, ଯେଉଁଠାରେ ସେମାନେ ଡ୍ରୋନ ଏବଂ ସିସି କ୍ୟାମେରା ସାହାଯ୍ୟରେ ପ୍ରତ୍ୟେକ ପରିସ୍ଥିତି ଉପରେ ନଜର ରଖୁଛନ୍ତି।