ମେଡ଼ିକାଲ ଫିଟନେସ ପ୍ରମାଣପତ୍ରରେ ଜାଲିଆତି, କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ

ରାଜ୍ୟ

ଆଗରପଡ଼ା :ମେଡ଼ିକାଲ ଫିଟନେସ ପ୍ରମାଣପତ୍ରକୁ ଜାଲିଆତି କରି ଜନୈକ ଶିକ୍ଷକ ସରକାରୀ ଅର୍ଥ ହଡ଼ପ କରିଥିବା ନେଇ ଅଭିଯୋଗ ଆସିବା ପରେ ଉକ୍ତ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବ୍ଲକ ଶିକ୍ଷାଧିକାରୀ ବନ୍ତଙ୍କୁ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୨୫୫୫/୧୧.୦୩.୨୦୨୫ରେ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ସୂଚନା ଅଧିକାର କର୍ମୀ ବିକାଶ ଧଳଙ୍କ ସୂଚନା ଅନୁଯାୟୀ ବନ୍ତ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ବସନ୍ତିଆ ୟୁପିଏମଇ ସ୍କୁଲ ସହକାରୀ ଶିକ୍ଷକ ମନୋରଜଂନ ସାହୁ ଗତ ବର୍ଷ ୨୦୨୧ରେ ନଭେମ୍ବର ମାସ ୨୫ ତାରିଖରୁ ଡ଼ିସେମ୍ବର ମାସ ୨୦ ତାରିଖ(୨୬ ଦିନ)ପର୍ଯ୍ୟନ୍ତ ଛୁଟି ନେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେ ଉକ୍ତ ଛୁଟି ଅବଧିକୁ ଜାଲ ମେଡ଼ିକାଲ ଫିଟନେସ ପ୍ରମାଣପତ୍ର ଦାଖଲ କରି ମଂଜୁର କରାଇଥିଲେ । ଉକ୍ତ ଜାଲ ତଥ୍ୟ ସୂଚନା କର୍ମୀ ଶ୍ରୀ ଧଳ ସୂଚନା ଅଧିକାର ଆଇନବଳରେ(ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର,ଆଗରପଡ଼ାର ଜନ ସୂଚନା ଅଧିକାରୀଙ୍କ ଠାରୁ)ପ୍ରାପ୍ତ କରିବା ପରେ ବିଇଓ,ବନ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଗୋଟିଏ ମାସର ଦରମା ବନ୍ଦ କରି ପୁଣି ଦରମା ପ୍ରଦାନ କରିଥିଲେ ଅଭିଯୁକ୍ତ ଶିକ୍ଷକଙ୍କୁ କିନ୍ତୁ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ ବିଇଓ । ଅଭିଯୋଗକୁ ବର୍ଷାଧିକ କାଳ ବିତି ଯିବା ପରେ ସଂପୃକ୍ତ ଶିକ୍ଷକଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଶ୍ରୀ ଧଳ ଗତ ଏପ୍ରିଲ ମାସରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ଠାରେ ଲିଖିତ ଅଭିଯୋଗ କରିଥିଲେ । ପରେ ଜିଲ୍ଲା ଶିକ୍ଷାଧିକାରୀ ଏହାର ତଦନ୍ତ ରିପୋର୍ଟ ପ୍ରଦାନ କରିବା ସହ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଇଓଙ୍କୁ ପତ୍ର କରିଥିଲେ । କିନ୍ତୁ ବହୁମାସ ବିତିଯିବାପରେ ମଧ୍ୟ ବିଇଓ ଜାଲିଆତିରେ ସଂପୃକ୍ତ ଶିକ୍ଷକଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଗତ ୧୧ତାରିଖରେ ଜିଲ୍ଲା ଶିକ୍ଷାଧିକାରୀ ବିଇଓଙ୍କୁ ଶ୍ରୀ ଧଳଙ୍କ ଅଭିଯୋଗକୁ ଜରୁରୀ ମନେକରି ଜାଲିଆତି କରି ଛୁଟି ମଂଜୁର କରିବା ଓ ପରେ ଏହାକୁ ନିଜ ଇଚ୍ଛାରେ ଇଏଲରେ ପରିବର୍ତ୍ତନ ପାଇଁ ଅନୁରୋଧ କରିବାକୁ ନେଇ ବସନ୍ତିଆ ୟୁପିଏମଇ ସ୍କୁଲ ସହକାରୀ ଶିକ୍ଷକ ମନୋରଜଂନ ସାହୁଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏହାର ସୂଚନା ଡ଼ିଇଓଙ୍କ କାର୍ଯ୍ୟାଳୟକୁ ପ୍ରେରଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।