ଆଗରପଡ଼ା :ଆଧୁନିକ ଯୁଗରେ ରେଡିମେଡି ପୋଷାକର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସିଲେଇ ଦୋକାନ କରି ଗୁଜୁରାଣ ମେଣ୍ଟାଉଥିବା ଦରଜୀମାନେ ନିଜର କୌଳିକ ବୃତ୍ତି ହରାଇବାକୁ ବସିଲେଣି । ଦରଜୀ ବୃତ୍ତିକୁ ଆଦରି ନେଇ ଯେଉଁମାନେ ଲୋକଙ୍କ ପୋଷାକ ମାପ ନେଇ ସିଲେଇ ମେସିନରେ କାମ କରି ଯାହା କିଛି ଉପାର୍ଜନ କରୁଥିଲେ ସେଥିରେ ସେମାନଙ୍କ ପରିବାର ପ୍ରତିପୋଷଣ କରି ଆସୁଥିଲେ । କିନ୍ତୁ ସମୟଚକ୍ରରେ ଲୋକଙ୍କ ସାମାଜିକ ଚଳଣି ବଦଳିବା ହେତୁ ସେମାନେ ଆଉ ପୂର୍ବପରି ପୋଷାକ ସିଲେଇ କରି ପିନ୍ଧିବା ପାଇଁ ଇଛା କରୁନାହାନ୍ତି । ଆଗରୁ ଲୋକେ ପୋଷାକ ତିଆରି କରିବା ପାଇଁ ବଜାରରୁ କପଡ଼ା କିଣିବା ପରେ ଦରଜୀ ନିକଟକୁ ଯାଇ ନିଜକୁ ଫିଟିଙ୍ଗ ଲାଗିବା ଭଳି ସିଲେଇ କରି ପିନ୍ଧୁଥିଲେ । ବିଶେଷ କରି ବିଭିନ୍ନ ପର୍ବପର୍ବାଣୀରେ ଦରଜୀ ବୃତ୍ତିକୁ ଆଦରି ନେଇଥିବା କାରିଗରଙ୍କୁ କିଛିଦିନ ପାଇଁ ବିଶ୍ରାମ ମିଳୁନଥିଲା । ସେମାନେ ଦିନରାତି ଏକାକାର କରି ପରିଶ୍ରମ କରିବା ସହ ବେଶ କିଛି ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରିବା ସହ କିଛି ଅର୍ଥ ମଧ୍ୟ ସଞ୍ଚଚୟ କରି ପାରୁଥିଲେ । କିନ୍ତୁ କିଛି ବର୍ଷ ମଧ୍ୟରେ ସହରାଚଂଳରେ ବହୁ ସପିଙ୍ଗ ମଲ୍ ଖୋଲିବା ସହ ଗ୍ରାମାଚଂଳ ଗୁଡିକରେ ବହୁ ରେଡିମେଡ ପୋଷାକର ଦୋକାନ ବଜାର ଗଢି ଉଠିଛି । ଯେଉଁଠାରେ ଖୁବ୍ ନିଖୁଣ ଡ଼ିଜାଇନ୍ ସହ କମ୍ ମୂଲ୍ୟରେ ଗ୍ରାହକଙ୍କୁ ଆକୃଷ୍ଟ କଲାଭଳି ପୋଷାକ ଉପଲବ୍ଧ ହୋଇପାରୁଛି । ଜନସାଧାରଣ ପୋଷାକ କପଡା କିଣି ଦରଜୀଙ୍କ ନିକଟକୁ ସିଲେଇ କରିବା ପାଇଁ ଦେବା ପରେ ତାକୁ ପିନ୍ଧିବା ପାଇଁ କିଛି ଦିନ ଲାଗୁଥିଲା । କାରଣ ଦରଜୀ ତାକୁ ସିଲେଇ କରିବା ପାଇଁ ସମୟ ନେଉଥିଲା । କିନ୍ତୁ ବର୍ତ୍ତମାନ ସମୟ ବଦଳିଯାଇଛି । ଆବଶ୍ୟକ ସମୟରେ ପୋଷାକ ପରିଧାନ କରିବା ଲାଗି ବହୁ ସମୟ ଧରି ଅପେକ୍ଷା କରିବାକୁ ଆଉ ପଡୁନାହିଁ । ଯେତେବେଳେ ଜଣେ ବ୍ୟକ୍ତି ଇଚ୍ଛା ପ୍ରକାଶ କରୁଛି ସେତେବେଳେ ବଜାରରେ ଉପଲବ୍ଧ ବିଭିନ୍ନ ସଫିଙ୍ଗ ମଲ୍ ବା ରେଡ଼ିମେଡ଼୍ ଦୋକାନରୁ ପୋଷାକ କିଣି ପିନ୍ଧି ପାରୁଛି । ତାହା ବି ପୁଣି କମ ଖର୍ଚ୍ଚ ସାଙ୍ଗକୁ ଆଧୁନିକ ଓ ନିଖୁଣ ଡ଼ିଜାଇନର ପ୍ରସ୍ତୁତି ପୋଷାକ । ଲୋକଙ୍କ ଚାହିଦାକୁ ଆଖି ଆଗରେ ରଖି ଦିନକୁ ଦିନ ଗ୍ରାମାଚଂଳରେ ରେଡ଼ିମେଡ଼୍ ପୋଷାକ ଦୋକନ ଖୋଲିବାରେ ଲାଗିଛି । ଦେଖିବାକୁ ଗଲେ କେବଳ ଆଗରପଡ଼ା ବଜାରରେ ୨୦ରୁ ଉର୍ଦ୍ଧ ରେଡ଼ିମେଡ଼୍ ପୋଷାକ ଦୋକନ ରହିଥିବା ବେଳେ ବନ୍ତ ବ୍ଳକର୨୫ଟି ପଞ୍ଚଚାୟତରୁ ପ୍ରତି ପଂଚାୟତରେ ଦୁଇଚାରୋଟି ରେଡ଼ିମେଡ ପୋଷାକ ଦୋକନ ରହିଥିବାର ଦେଖିବାକୁ ମିଳୁଛି । ଅପରପକ୍ଷରେ ସରକାରଙ୍କ ତରଫରୁ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟ ସମେତ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକରେ ଛାତ୍ରଛାତ୍ରୀଙ୍କୁ ମାଗଣାରେ ପୋଷାକ ବଣ୍ଟନ କରାଯାଉଛି ।
ସେଥିପାଇଁ ସରକାର ବିଭିନ୍ନ ସଂୟ ସହାୟିକା ଗୋଷ୍ଠୀଙ୍କୁ ପୋଷାକ ଯୋଗାଇ ଦେବାକୁ ଅନୁମତି ମଧ୍ୟ ଦେଇଛନ୍ତି । କିନ୍ତୁ ପ୍ରକୃତପକ୍ଷେ ଏହା କାର୍ଯ୍ୟକାରୀ ହୋଇପାରୁନଥିବା ପରିଲକ୍ଷିତ ହେଉଛି । ଯାହା ଫଳରେ ସ୍ଥାନୀୟ ଅଂଚଳର ଦରଜୀ ମାନଙ୍କ ପେଟପାଟଣା ଏକ ପ୍ରକାର ବନ୍ଦ ହେବାରେ ଲାଗିଛି । ସେହିପରି ଯୁବପିଢିଙ୍କ ଫେସନକୁ ଆଖି ଆଗରେ ରଖି ବିଭିନ୍ନ ଶିଳ୍ପାନୁଷ୍ଠାନ ବିଭିନ୍ନ ପ୍ରକାର ପୋଷାକ ତିଆରି କରି ବଜାରରେ ସ୍ୱଳ୍ପମୂଲ୍ୟରେ ବିକ୍ରୀ କରୁଛନ୍ତି । ଯଦ୍ୱାରା ଦରଜୀ ଦୋକାନପ୍ରତି ଲୋକଙ୍କ ଆଗ୍ରହ କମିବାରେ ଲାଗିଛି । ଆଗରପଡ଼ା ଅଂଚଳର ପ୍ରମୁଖ ଦରଜୀ ଦୋକାନ ସୋନାକ୍ସରେ ଦରଜୀ ରୂପେ କାର୍ଯ୍ୟ କରୁଥିବା ଏସକେ ହବିବୁର ରେହେମାନ(୫୧)ଙ୍କ କହିବା ଅନୁଯାୟୀ ସେ ୧୪ବର୍ଷରୁ ନିଜକୁ ଉକ୍ତ ବୃତ୍ତିରେ ନିୟୋଜିତ କରିଆସୁଛନ୍ତି । କିଛି ବର୍ଷ ପୂର୍ବେ ରେଡ଼ିମେଡ଼ ଦୋବାନ ଉପଲବ୍ଧ ନଥ୍ôବା ବେଳେ ଦିନକୁ ୩୦୦ରୁ ୪୦୦ଟଙ୍କା ରୋଜଗାର କରି ସେ ସୂଚାରୁରୂପେ ପରିବାର ପ୍ରତିପୋଷଣ କରିପାରୁଥିଲେ । କିନ୍ତୁ ବର୍ତ୍ତମାନ ତାହା ସମ୍ଭବପର ହୋଇପାରୁନାହିଁ । ପରିଶ୍ରମ ତୁଳନାରେ କାମ ମିଳୁନାହିଁ କି ପାରିଶ୍ରମିକ ମଧ୍ୟ ମିଳୁନାହିଁ । ସେହିପରି ଅନନ୍ତ ସାହୁ(୪୦)ଙ୍କ କହିବା ଅନୁଯାୟୀ ସେ ମଧ୍ୟ ରେଡିମେଡି ପୋଷାକର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହି ବୃତ୍ତି କରି ପରିବାର ପ୍ରତିପୋଷଣରେ ବହୁ କଷ୍ଟ ଅନୁଭବ କରୁଛନ୍ତି । ସମୟାନୁସାରେ ବର୍ତ୍ତମାନ ସମୟରେ ଲୋକଙ୍କ ଚାହିଦାନୁସାରେ ପୋଷାକ ତିଆରି କରିବା ପାଇଁ ନୂତନ ଟେକ୍ନୋଲୋଜିରେ ତିଆରି ମେସିନ ବଜାରରେ ମିଳୁଛି ଯାହା ବ୍ୟୟବହୁଳ ତେଣୁ ସେଥିରେ ପ୍ରସ୍ତୁତ ପୋଷାକ ଦର ବଜାରରେ ମିଳୁଥିବା ରେଡ଼ିମେଡ଼ ପୋଷାକ ଦର ଠାରୁ ବହୁ ଅଧିକ । ତେଣୁ ପରିଶ୍ରମ ତୁଳନାରେ ପାରିଶ୍ରମିକ ମିଳିବା ସମ୍ଭବପର ହୋଇପାରୁନାହିଁ । ଏହିପରି ପରିସ୍ଥିତିରେ ଦରଜୀ ବାଧ୍ୟ ହୋଇ ତାର କୌଳିକ ବୃତ୍ତିରୁ ନିଜକୁ ନିବୃତ୍ତ ରଖିବାକୁ ବାଧ୍ୟ ହେଉଛି । ତେଣୁ ଆଧୁନିକତ୍ୱର ଚାକଚକ୍ୟ ଭିତରେ ଦରଜୀ କୌଳିକ ବୃତ୍ତି ଲୋପ ପାଇବାରେ ଲାଗିଛି ।