Minning

ଆରୁହା ପାହାଡ଼ରେ ବେଆଇନ ଖନନ ଓ କଳାପଥର ଚୋରା ଚାଲାଣକୁ ବିରୋଧ, ମାଫିଆଙ୍କ ଛତ୍ରଭଙ୍ଗ

State

ଯାଜପୁର: ଦିନରାତି ପାହାଡ଼ରେ ଚାଲିଛି ୱାଗନ ବ୍ଲାଷ୍ଟିଂ । ବେଆଇନ ଭାବେ ବ୍ଲାଷ୍ଟିଂ ଦ୍ୱାରା ସମଗ୍ର ଅଞ୍ଚଳରେ ମୃଦୁ ଭୂମିକମ୍ପ ସୃଷ୍ଟି । ପାହାଡ଼ରୁ ବେଆଇନ ଭାବେ ଖନନ ସହ ଶହ ଶହ ଟ୍ରିପ୍ କଳାପଥର ଚୋରା ଚାଲାଣ କରାଯାଉଛି । ଯାହାଫଳରେ ଅଞ୍ଚଳବାସୀ ଅତିଷ୍ଠ ହୋଇପଡିଲେଣି । ତହସିଲ ଓ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବିଭାଗୀୟ ଉଚ୍ଚ ପଦସ୍ତ ଅଧିକାରୀଙ୍କୁ ବାରମ୍ବାର ଅବଗତ କରିଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ବାଧ୍ୟ ହୋଇ ତାତିଲେ ଲୋକେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧୀନ ଆରୁହା କଳାପଥର ଖାଦାନରେ ।

ଆଜି ପାହାଡ଼ରେ ବେଆଇନ ଖନନ ଓ ଚାଲାଣ ସମୟରେ ଶତାଧିକ ଗ୍ରାମବାସୀ ଏକାଠି ହୋଇ ଏହାକୁ ଦୃଢ ବିରୋଧ କରିଛନ୍ତି । ଏହି ସମୟରେ ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ମାଫିଆ ମାନେ ଛତ୍ରଭଙ୍ଗ ଦେଇଥିଲେ । ଖନନ କାର୍ଯ୍ୟରେ ଲାଗିଥିବା ୭ଟି ମେସିନ ସହ କମ୍ପ୍ରେସର, କଳାପଥର ବୋଝେଇ ହାଇୱା ଗାଡିକୁ ଅଟକ ରଖିଛନ୍ତି । ଏଥିସହ ବ୍ଲାଷ୍ଟିଂରେ ବ୍ୟବହୃତ ବିସ୍ଫୋରକ ସାମଗ୍ରୀ ଓ ତାର ଗୁଡିକୁ ଜବତ କରି ଧର୍ମଶାଳା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଧର୍ମଶାଳା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ବେଆଇନ କାର୍ଯ୍ୟକୁ ବିରୋଧ କରିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ସୂଚନା ମୁତାବକ, ଆରୁହା ପାହାଡ଼ରେ କୌଣସି ଖାଦାନକୁ ତହସିଲ ପ୍ରଶାସନ ପକ୍ଷରୁ ନିଲାମ ଦିଆଯାଇନଥିବା ବେଳେ ଶରତ ଜେନା ଓ ମନୋଜ ସାମଲ ବେଆଇନ ଭାବେ ଏହି କାର୍ଯ୍ୟ ଚଳାଇଛନ୍ତି । ପୂର୍ବରୁ ଏମାନଙ୍କ ନାଁରେ କୋଟି କୋଟି ଟଙ୍କା ଜରିମାନା କରାଯାଇଛି । ତେବେ ଗତ ୩/୪ ମାସ ଧରି ବେଆଇନ ଭାବେ ଦିନରାତି କଳାପଥର ଲୁଟ ଚାଲିଥିବା ବେଳେ ପ୍ରଶାସନ ଏଥିପ୍ରତି ଆଖି ବୁଜି ଦେଇଛି । ଫଳରେ ସରକାରଙ୍କର କୋଟି କୋଟି ଟଙ୍କା ରାଜସ୍ୱ ହାନୀ ଘଟୁଛି ।

ତେବେ ବେଆଇନ ଖନନ ଓ କଳାପଥର ଚୋରା ଚାଲାଣକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଯଦି ପ୍ରଶାସନ ଏହି ବେଆଇନ କାର୍ଯ୍ୟକୁ ବନ୍ଦ ନକରେ ତାହେଲେ ଲୋକେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।