ନୂଆଦିଲ୍ଲୀ: ସୁସ୍ଥ ଓ ନିରୋଗ ଜୀବନଯାପନ କରିବାକୁ ସର୍ବଦା ଡାକ୍ତରମାନେ ପରାମର୍ଶ ଦେଇ ଆସିଛନ୍ତି। ଶରୀରର ଓଜନକୁ ନିୟନ୍ତ୍ରଣରେ ରଖି ପାରିଲେ ଏକ ସୁସ୍ଥ ଜୀବନ ବଞ୍ଚି ପାରିବା। ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଯାହା ଯେତେବେଳେ ମିଳିଲା ଆମେ ଖାଇଲେ। ଯେତେବେଳେ ପାରିଲେ ଶୋଇ ପଡ଼ିଲେ। ଏହାଦ୍ବାରା ଶରୀରରେ ମେଦବହୁଳ ସମସ୍ୟା ଦେଖା ଦେଇଥାଏ। ତେବେ ଏହି ମେଦବହୁଳକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଶରୀର ଅତ୍ୟଧିକ ଓଜନ ହେତୁ ଜଣେ ମହିଳା ଜେଲରୁ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି।
୪୮ ବର୍ଷୀୟା ଫରହାନାଙ୍କର ଶରୀରର ଓଜନ ୧୨୦ କିଲୋଗ୍ରାମ ରହିଛି। ଏହି ଓଜନ ପାଇଁ ଫରହାନାଙ୍କୁ ତାଙ୍କ ଦୈନନିନ୍ଦ କାମ କରିବାରେ ଖୁବ ଅସୁବିଧା ପରିଲକ୍ଷିତ ହୋଇଥାଏ। ଏହି ସମାନ ଓଜନ ଦିନେ ଫରହାନାଙ୍କୁ ନିର୍ଦ୍ଦୋଷରେ ଜେଲରୁ ଖଲାସ କରିବ ତାହା କେହି ଭାବି ବି ନଥିଲେ।
ଉତ୍ତରପ୍ରଦେଶର ସମ୍ଭଲରେ ଦଙ୍ଗା ସମୟରେ ପୁଲିସ ଉପରେ ପଥର ଫିଙ୍ଗିବା ପାଇଁ ଫରହାନାଙ୍କୁ ୨୪ ନଭେମ୍ବର ୨୦୨୪ରେ ଗିରଫ କରାଯାଇଥିଲା। ଏହି ଅଭିଯୋଗରେ ତାଙ୍କୁ ୮୭ ଦିନ ଜେଲରେ ରହିବାକୁ ପଡିଥିଲା। କିନ୍ତୁ ପରବର୍ତ୍ତୀ ତଦନ୍ତରୁ ପ୍ରମାଣିତ ହେଲା ଯେ ଫରହାନା ହିଂସାରେ ସାମିଲ ନଥିଲେ କାରଣ ତାଙ୍କର ଓଜନ ଏତେ ଅଧିକ ଥିଲା ଯେ ସେ ପଥରଫିଙ୍ଗାଳି ଥିବା ସ୍ଥାନରୁ ଯାଇ ପାରିବେ ନାହିଁ।
ଫରହାନା ଜଣେ ଗୃହିଣୀ ଏବଂ ତାଙ୍କର ଚାରିଟି ପିଲା ଅଛନ୍ତି। ସେ ତାଙ୍କ ପରିବାର ସହିତ ସମ୍ଭାଲର ନଖାସା ଥାନା ଅଞ୍ଚଳ ଅନ୍ତର୍ଗତ ହିନ୍ଦୁଖେଡା ଅଞ୍ଚଳରେ ବସବାସ କରନ୍ତି। ଫରହାନାଙ୍କ ପଡ଼ୋଶୀଙ୍କ ସହିତ ପୂର୍ବରୁ ଝଗଡ଼ା ହୋଇଥିଲା। ଏହି କାରଣରୁ ପଡ଼ିଶାଘରର ଲୋକଙ୍କ ସହିତ ଫରହାନାଙ୍କ ଶତ୍ରୁତା ଥିଲା। ଯେତେବେଳେ ଦଙ୍ଗା ଆରମ୍ଭ ହେଲା, ପଡ଼ିଶାଘରଲୋକ ପରିସ୍ଥିତିର ସୁଯୋଗ ନେଇ ଫରହାନାକୁ ଫସାଇ ଦେଇଥିଲେ।