ଦାରିଙ୍ଗବାଡ଼ି: କର୍ଣ୍ଣାଟକରୁ ଆସିଛି ଏକ ଛାତିଥରା ଘଟଣା । ଯାହା ସ୍ତବ୍ଧ କରିଦେଇଛି ସାରା ବିଶ୍ୱକୁ । କର୍ଣ୍ଣାଟକରେ ଇସ୍ରାଏଲ ଯୁବତୀଙ୍କୁ ଗଣଦୁଷ୍କର୍ମ । ସେମାନଙ୍କ ସାଥିରେ ଥିବା ୩ ଜଣ ପୁରୁଷ ବନ୍ଧୁଙ୍କୁ ମଧ୍ୟ ମାଡ । ମାଡ ମାରି ହ୍ରଦକୁ ଫିଙ୍ଗି ଦେଲେ ଦୁର୍ବୃତ୍ତ । ଯୁବକଙ୍କ ଭିତରେ ଜଣେ ଓଡିଆ ।
କର୍ଣ୍ଣାଟକରେ ଇସ୍ରାଏଲ ଯୁବତୀଙ୍କ ସମେତ ଦୁଇ ଜଣ ଯୁବତୀଙ୍କୁ ଗଣଦୁଷ୍କର୍ମ ସହିତ ସେମାନଙ୍କ ସାଥିରେ ଥିବା ୩ ଜଣ ପୁରୁଷ ବନ୍ଧୁଙ୍କୁ ମାଡ ମାରି ହ୍ରଦକୁ ଫିଙ୍ଗି ଦେବା ଘଟଣା ଏବେ ଦୋହଲାଇ ଦେଇଛି ସାରା ବିଶ୍ୱକୁ । ତେବେ ନିଖୋଜ ୩ ଜଣ ପୁରୁଷ ବନ୍ଧୁଙ୍କ ଭିତରୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣଙ୍କ ଓଡିଶାର ହୋଇଥିବା ବେଳେ ତାଙ୍କ ଘର କନ୍ଧମାଳ ଜିଲ୍ଲାରେ ।
କନ୍ଧମାଳ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ତେରାବାଡ଼ି ଗ୍ରାମର ବିଭେସ୍ ନାମକ ଜଣେ ଯୁବକଙ୍କୁ କେନାଲ ଭିତରକୁ ଠେଲି ହତ୍ୟା ଘଟଣାକୁ ନେଇ ଏବେ ଅଞ୍ଚଳରେ ଖେଳି ଯାଇଛି ଶୋକର ଛାୟା । କାନ୍ଦି କାନ୍ଦି ପରିବାର ଲୋକେ ଯେପରି ସ୍ଥାଣୁ ପାଲଟିଯାଇଛନ୍ତି । ପରିବାର ଲୋକେ ବିଭେସଙ୍କ ମୃତ୍ୟୁଖବରକୁ ସହଜରେ ବିଶ୍ୱାସ କରିପାରୁନାହାନ୍ତି । ଯେହେତୁ ବିଭାସ୍ ଏକ ଶାନ୍ତ ସରଳ ଯୁବକ ଥିଲେ ଏବଂ ତାଙ୍କ ପାଖରେ କୌଣସି ଅପରାଧିକ ସ୍ଵଭାବ ନଥିଲା ।
ତେବେ ମୃତ ବିଭେସ୍ ତାଙ୍କ ତିନି ସାଙ୍ଗ ମାନଙ୍କ ସହ ବେଙ୍ଗାଲୁରୁର କୋପାଲ ସ୍ଥାନକୁ ବୁଲିବାକୁ ଯାଇଥିବା ସମୟରେ ବେଙ୍ଗାଲୁରୁ ଠାରୁ ୩୫୦ କିଲୋମିଟର ଦୂର ତୁଙ୍ଗଭଦ୍ରା ଲେଫ୍ଟବ୍ୟାଙ୍କ କେନାଲ ଭିତରକୁ ଠେଲି ହତ୍ୟା କରାଯାଇଥିବା ଖବର ମିଳିଛି । ଏକଥାକୁ ନେଇ ତାଙ୍କ ଅତ୍ମୀୟ ସ୍ଵଜନ ମ୍ରିୟମାଣ ହେବା ସହ ଗ୍ରାମରେ ଏକ ପ୍ରକାରର ଶୋକର ଛାୟା ଖେଳିଯାଇଛି ।
ଏପଟେ ମିଳିଥିବା ସୂଚନା ଅନୁସାରେ ଗତ ଗୁରୁବାର ରାତି ପ୍ରାୟ ସାଢେ ୧୧ରୁ ୧୧ଟା ଭିତରେ ସାନପୁର ହ୍ରଦ ନିକଟରେ ଏଭଳି ଭୟଙ୍କର କାଣ୍ଡ ଘଟିଥିଲା । ଇସ୍ରାଏଲ ଯୁବତୀ ଏବଂ ସେ ଯାହାଙ୍କ ଘରେ ରହୁଥିଲେ ଯୁବତୀଙ୍କ ସମେତ ଅନ୍ୟ ୩ ଜଣ ପୁରୁଷ ବନ୍ଧୁ ହ୍ରଦ କୂଳରେ ବୁଲାବୁଲି କରିବା ସହିତ ମଜା କରୁଥିଲେ । ଏହି ସମୟରେ ବାଇକରେ ୩ ଜଣ ଆସି ସେମାନଙ୍କୁ ପେଟ୍ରୋଲ୍ ପମ୍ପ କଥା ପଚାରିଥିଲେ ।
ଯୁବତୀ ଜଣଙ୍କ ଆଖପାଖରେ କୌଣସି ପେଟ୍ରୋଲ୍ ପମ୍ପ ନଥିବା କହିବା ପରେ ଦୁର୍ବୃତ୍ତମାନେ ସେମାନଙ୍କୁ ଟଙ୍କା ମାଗିଥିଲେ ଏବଂ ଏମାନେ ଟଙ୍କା ଦେବାକୁ ରାଜି ନହେବାରୁ ଗଣ୍ଡଗୋଳ ହୋଇଥିଲା । ଏହାପରେ ୩ ଦୁର୍ବୃତ୍ତ ୩ ଜଣ ପୁରୁଷ ବନ୍ଧୁଙ୍କୁ ଧକ୍କାମାରି ହ୍ରଦରେ ପକାଇ ଦେଇଥିଲେ ଏବଂ ଯୁବତୀମାନଙ୍କ ସହ ଗଣଦୁଷ୍କର୍ମ କରିଥିବା ସୂଚନା ମିଳିଛି । ଏଭଳି ଏକ ନିନ୍ଦନୀୟ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଧରିବାକୁ ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇ ଯୋରଦାର ତଦନ୍ତ ଆରମ୍ଭ କରିଥିଲା ପୋଲିସ୍ । ଯାହା ସୂଚନା ମିଳିଛି ଗତକାଲି ରାତିରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।