Anantadas

ପରଲୋକରେ ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସ, ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

State

ଭୁବନେଶ୍ବର: ଆଉ ନାହାଁନ୍ତି ଅନନ୍ତ ଦାସ । ପରଲୋକରେ ସରକାରଙ୍କ ପୂର୍ବତନ ମନ୍ତ୍ରୀ ତଥା ଭୋଗରାଇର ପୂର୍ବତନ ବିଧାୟକ ଅନନ୍ତ ଦାସ । ଭୋର ୪ଟା ୧୫ରେ ଭୁବନେଶ୍ବର ସ୍ଥିତ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ଅନନ୍ତ ଗତ କିଛି ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ଥିଲେ।

ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ତାଙ୍କର ପରଲୋକ ହୋଇଛି। ଅନନ୍ତ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତା ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ଦାସ ଜଣେ ଲୋକପ୍ରିୟ ଜନ ନେତା ଓ ଦକ୍ଷ ପ୍ରଶାସକ ଥିଲେ। ମନ୍ତ୍ରୀ ଓ ବିଧାୟକ ଭାବେ ସେ ରାଜ୍ୟର ଓ ବାଲେଶ୍ଵର ଅଞ୍ଚଳର ବିକାଶ ପାଇଁ ନିଜର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରଖି ଯାଇଛନ୍ତି। ତାଙ୍କ ବିୟୋଗ ଯୋଗୁ ରାଜ୍ୟ ଜଣେ ଅମାୟିକ ଜନ ସେବକଙ୍କୁ ହରାଇଛି। ପରଲୋକ ଗତ ଆତ୍ମାର ସଦଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି।

୧୯୪୦ ମସିହା ଅଗଷ୍ଟ ୨୮ ତାରିଖରେ ଭୋଗରାଇ ବ୍ଲକ ବାଲିମ ପଞ୍ଚାୟତର କୁରୁଠିଆ ଗ୍ରାମରେ ଜନ୍ମଗ୍ରହଣ କରିଥିବା ଅନନ୍ତ ଏମଏ ଏଲଏଲବି ପାସ୍ କରିବା ପରେ ସରକାରୀ ଚାକିରୀ ପାଇଥିଲେ। ଚାକିରି ଜୀବନରେ ସେ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ଦାୟିତ୍ବ ତୁଲାଇଥିଲେ। ଚାକିରିରୁ ଅବସର ନେବା ପରେ ସେ ଭୋଗରାଇ ବିକାଶ ପରିଷଦ ଗଠନ କରି ଭୋଗରାଇର ବିକାଶ ପାଇଁ ଅଣ୍ଟା ଭିଡ଼ି ଥିଲେ। ପରେ ଏନସିପିରୁ ତାଙ୍କ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। କିନ୍ତୁ ୨୦୦୪ ନିର୍ବାଚନରେ ସେ ବିଜେଡି ଟିକଟରୁ ଲଢି ଭୋଗରାଇର ବିଧାୟକ ଭାବେ ବିଜୟୀ ହୋଇଥିଲେ।

ଭୋଗରାଇ ନିର୍ବଚନ ମଣ୍ଡଳୀରୁ ଲଗାତାର ୪ଥର ବିଧାୟକ ଥିଲେ ଅନନ୍ତ ଦାସ। ୨୦୦୦୪ରୁ ୨୦୧୯ ପର୍ଯ୍ୟନ୍ତ ୪ଥର ବିଜେଡିରୁ ବିଧାୟକ ଥିଲେ। ଏହା ବ୍ୟତୀତ ଓଡ଼ିଶା ସରକାରଙ୍କ ଶିଳ୍ପମନ୍ତ୍ରୀ,ଉଚ୍ଚ ଶିକ୍ଷା ମନ୍ତ୍ରୀ, ସରକାରୀ ଦଳର ମୁଖ୍ୟ ସଚେତକ, ବାଲେଶ୍ଵର ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ପରି ବହୁ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ ମଧ୍ୟ ସଫଳତାର ସହ ଦାୟିତ୍ବ ତୁଲାଇଛନ୍ତି। ଭୋଗରାଇର ସାମଗ୍ରିକ ବିକାଶରେ ତାଙ୍କର ଯୋଗଦାନ ଅତୁଳନୀୟ।