ନୂଆଦିଲ୍ଲୀ: ଚଣ୍ଡିଗଡ଼ କ୍ରିକେଟର ବୀରେନ୍ଦ୍ର ସେହୱାଗଙ୍କ ଭାଇ ବିନୋଦ ସେହୱାଗଙ୍କୁ ପୁଲିସ ଗିରଫ କରିଛି। ବିନୋଦ ସେହୱାଗଙ୍କ ବିରୋଧରେ ୭ କୋଟି ଟଙ୍କାର ଚେକ୍ ବାଉନ୍ସ ମାମଲା ବିଚାରାଧୀନ ଅଛି।
କୋର୍ଟ ବିନୋଦ ସେହୱାଗଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି। ବିନୋଦ ଜାଲ୍ଟା ଫୁଡ୍ ଆଣ୍ଡ୍ ବେଭେରେଜେସ୍ କମ୍ପାନିର ନିର୍ଦ୍ଦେଶକ ଥିଲେ। ଏହି ମାମଲା ଜାଲ୍ଟା ଫୁଡ୍ ଆଣ୍ଡ୍ ବେଭେରେଜେସ୍ କମ୍ପାନି ସହିତ ଜଡ଼ିତ ଅଛି। ଏହି ମାମଲାରେ ବିନୋଦଙ୍କ ସହିତ ବିଷ୍ଣୁ ମିତ୍ତଲ ଏବଂ ସୁଧୀର ମାଲହୋତ୍ରା ମଧ୍ୟ ସାମିଲ ଅଛନ୍ତି। ଏମାନେ ବି କମ୍ପାନିର ନିର୍ଦ୍ଦେଶକ ଭାବେ କାମ କରୁଥିଲେ। ତିନି ଜଣଙ୍କ ବିରୋଧରେ ୧୩୮ଏନଆଇ ଆକ୍ଟ ଆଧାରରେ ମାମଲା ରୁଜୁ କରାଯାଇଥିଲା।
ଶ୍ରୀ ନୈନା ପ୍ଲାଷ୍ଟିକ୍ ଫ୍ୟାକ୍ଟ୍ରି ମାଲିକ କୃଷ୍ଣ ମୋହନ ପୁଲିସରେ ଅଭିଯୋଗ କରି କହିଥିଲେ, ‘ମୋର ଫ୍ୟାକ୍ଟ୍ରି ହିମାଞ୍ଚଳ ପ୍ରଦେଶରେ ଅଛି। ଜଲତା କମ୍ପାନି ମୋ କାରଖାନାରୁ କିଛି ସାମଗ୍ରୀ କିଣିଥିଲା। କିଣିଥିବା ସାମଗ୍ରୀ ବାବଦକୁ ଯେତିକି ଟଙ୍କା ହୋଇଥିଲା ସେଥିପାଇଁ କମ୍ପାନି ମୋତେ ୭ କୋଟି ଟଙ୍କାର ଏକ ଚେକ୍ ଦେଇଥିଲା। କିନ୍ତୁ ଏହି ଚେକ୍ ବାଉନ୍ସ ହୋଇଯାଇଥିଲା। ଏହାପରେ ମୁଁ କୋର୍ଟରେ ଏକ ମାମଲା ଦାୟର କରିଥିଲି। ୧୩୮ ଏନଆଇ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା।
ପ୍ରାପ୍ତ ସୂଚନା ଅନୁଯାୟୀ, ବିନୋଦ ସେହୱାଗ, ବିଷ୍ଣୁ ମିତ୍ତଲ ଏବଂ ସୁଧୀର ମାଲହୋତ୍ରା ତିନି ଜଣ ଅଭିଯୁକ୍ତ କୋର୍ଟରେ ହାଜର ହୋଇ ନଥିଲେ। ତେଣୁ କୋର୍ଟ ତାଙ୍କୁ ୨୦୨୨ ମସିହାରେ ପଳାତକ ଘୋଷଣା କରିଥିଲେ। କୋର୍ଟ ପୁଲିସକୁ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ୨୫ ସେପ୍ଟେମ୍ବର ୨୦୨୩ରେ, ମଣିମାଜରା ପୁଲିସ ଷ୍ଟେସନ ତିନିଜଣଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଧାରା ୧୭୪ (କୋର୍ଟ ଆଦେଶ ଅବମାନନା) ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା।
ଗିରଫ ପରେ ବିନୋଦ ସେହୱାଗ ଜାମିନ ପାଇଁ ଆବେଦନ କରିଛନ୍ତି। କୋର୍ଟ ପୁଲିସକୁ ୧୦ ମାର୍ଚ୍ଚ ୨୦୨୫ ସୁଦ୍ଧା ଜବାବ ଦେବାକୁ କହିଛନ୍ତି।
