Cj Hc

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ହରିଶ ଟଣ୍ଡନ

State

କଟକ : ଓଡିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ହରିଶ ଟଣ୍ଡନ। ଜଷ୍ଟିସ ଟଣ୍ଡନଙ୍କୁ ମୁଖ୍ୟ ବିଚାରପତି ନିଯୁକ୍ତି ପାଇଁ ସୁପ୍ରିମକୋର୍ଟଙ୍କ କଲେଜିୟମ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍ତି । ଏବେ କଲିକତା ହାଇକୋର୍ଟରେ ବରିଷ୍ଠ ବିଚାରପତି ଅଛନ୍ତି ଜଷ୍ଟିସ ଟଣ୍ଡନ । ଜାନୁଆରୀ ୧୯ ରୁ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଅଵସର ନେବା ପରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦବୀ ଖାଲି ରହିଛି ।

ସେବେଠାରୁ ଜଷ୍ଟିସ ଅରିନ୍ଦମ ସିହ୍ନା କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି । ଜଷ୍ଟିସ ହରିଶ ଟଣ୍ଡନ ଏବେ ସର୍ବ ଭାରତୀୟ ସ୍ତରରେ ସପ୍ତମ ବରିଷ୍ଠ ହାଇକୋର୍ଟ ବିଚାରପତି ଅଟନ୍ତି । ତେଣୁ ସେ ହିଁ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ପାଇଁ ଉପଯୁକ୍ତ ବୋଲି ଅନୁଭବ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ । ୧୯୬୪ ମସିହା ନଭେମ୍ବର ୧୬ ରେ ଜଷ୍ଟିସ ଟଣ୍ଡନଙ୍କର ଜନ୍ମ । ୧୯୮୩ ମସିହାରେ କଲିକତା ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ ପରେ ୧୯୮୯ ରେ ସେହି ବିଶ୍ୱବିଦ୍ୟାଳୟରୁ ଏଲଏଲବି ଡିଗ୍ରୀ ହାସଲ କରିଥିଲେ । ସେହିବର୍ଷ ସେପ୍ଟେମ୍ବର ୨୬ ରେ ଓକିଲାତି ଭାବେ ନାମ ପଞ୍ଜିକରଣ କରି ସେ ପ୍ରାକ୍ଟିସ ଆରମ୍ଭ କରିଥିଲେ ।

ଦେୱାନି ମାମଲା ପରିଚାଳନାରେ ସେ ଥିଲେ ସିଦ୍ଧହସ୍ତ । ୨୦୧୦ ଏପ୍ରିଲ ୧୩ ତାରିଖରେ କଲିକତା ହାଇକୋର୍ଟରେ ତାଙ୍କୁ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା । ସେବେଠାରୁ ଅଦ୍ୟାବଧି ସେ କଲିକତା ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରି ଅନେକ ଦୃଷ୍ଟାନ୍ତମୂଳକ ରାୟ ପ୍ରଦାନ କରିଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ସୁପାରିଶକୁ କେନ୍ଦ୍ର ସରକାର ମହାମହିମ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବା ପରେ ରାଷ୍ଟ୍ରପତି ତାଙ୍କୁ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେବେ।