ପିପିଲି: ନିଶାରେ ଅଭ୍ୟସ୍ତଙ୍କୁ ନିଶାରୁ ଦୂରେଇବା ପାଇଁ ଖୋଲା ଯାଇଛି ନିଶା ନିବାରଣ କେନ୍ଦ୍ର । ହେଲେ ସେଠାରେ ନିଶାଗ୍ରସ୍ତଙ୍କୁ ଭଲ କରିବା ବଦଳରେ ଜୀବନ ଯାଉଛି । ପିଟି ପିଟି ଯୁବକକୁ ମାରି ଦେଇଥିବାର ପରିବାର ଲୋକେ ଅଭିଯୋଗ କରିଛନ୍ତି । ନିଶାଡ଼ିଙ୍କୁ ସୁଧାରି ଭଲ ବାଟକୁ ଆଣିବା ପାଇଁ ପରିବାର ଲୋକେ ନିଶା ନିବାରଣ କେନ୍ଦ୍ରକୁ ଭରସା କରନ୍ତି । କିନ୍ତୁ ଭଲ ବାଟକୁ ଫେରିବା ପାଇଁ ଯାଇଥିବା ନିଶାଡ଼ି ଶବ ହୋଇ ଘରକୁ ଫେରୁଛି । ଏଇଠି ପ୍ରଶ୍ନ ଉଠିଛି ନିଶା ନିବାରଣ କେନ୍ଦ୍ର ନା ଯମପୁର !
ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ଉତ୍ତରା ଛକ ନିକଟରେ ରହିଛି ଦିଶା ଫାଉଣ୍ଡେସନ ନାମକ ନିଶା ନିବାରଣ କେନ୍ଦ୍ର । ଯେଉଁଠାରେ ଅନେକ ନିଶାସକ୍ତ ଯୁବକ ଆସନ୍ତି ଭଲ ହେବା ପାଇଁ । ଅନେକ ଏଠାରୁ ଭଲ ହୋଇ ନିଜ ଘରକୁ ମଧ୍ୟ ଫେରିଛନ୍ତି । ତେବେ ଭୁବନେଶ୍ୱର ଉପକଣ୍ଠ ଲକ୍ଷ୍ମୀସାଗର ଅଞ୍ଚଳର ନବକୃଷ୍ଣ ନାୟକ ତାଙ୍କ ପୁଅ ସୁବାଶିଷଙ୍କ ପାଇଁ ଏହି କେନ୍ଦ୍ର ପାଲଟି ଗଲା ଯମପୁର । ସେ ସୁଚିବାଇ ରୋଗରେ ଆକ୍ରାନ୍ତ ହୋଇ ୨୦୨୪ ମସିହା ଡିସେମ୍ବର ୩ରେ ଏହି କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ତେବେ ତାଙ୍କ ପୁଅକୁ ଦିଶା ଫାଉଣ୍ଡେସନ ପରିସରରେ ମାଡ଼ ମରାଯାଇ ହତ୍ୟା କରାଯାଇଥିବାର ଅଭିଯୋଗ କରିଛନ୍ତି ପରିବାର ଲୋକ । ତେବେ ଅନ୍ତେବାସୀଙ୍କୁ ବାରମ୍ବାର ମାଡ଼ ମରାଯିବା ସହିତ ସେମାନଙ୍କୁ ଅଧିକ ପରିମାଣରେ ଦଣ୍ଡ ଦିଆଯାଇଥାଏ ବୋଲି ଅନ୍ତେବାସୀ ଅଭିଯୋଗ କରିଛନ୍ତି ।
ଏହି ଘଟଣାରେ ଫାଉଣ୍ଡେସନର ତିନି ଜଣ ଏବଂ ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ଚାରି ଜଣଙ୍କୁ ପୋଲିସ୍ ଅଟକ ରଖିଛି । ଏହା ସହିତ ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ହତ୍ୟାକାଣ୍ଡ ଘଟିଥିବା ସ୍ଥାନରୁ ନମୂନା ସଂଗ୍ରହ କରିଛି । ତେବେ ଏହି ଘଟଣା ପରେ ଯେଉଁ ଅନ୍ତେବାସୀ ସେଠାରେ ରହିଛନ୍ତି ସେମାନଙ୍କ ପରିବାର ଲୋକେ ତାଙ୍କ ପିଲାମାନଙ୍କୁ ସାଥିରେ ନେଇ ଯାଇଛନ୍ତି । ଆଉ ପୋଲିସ୍ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ।