ଯାଜପୁର: ବାଣ ଭିଡ଼ିବାବେଳେ ବିସ୍ଫୋରଣ । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ବାସୁଦେବପୁର ପଞ୍ଚାୟତ ଜାଲପୁର ଗାଁରେ । ଗୁରୁବାର ବାଣଭିଡ଼ିବା ବେଳେ ହଠାତ୍ ବିସ୍ଫୋରଣ ଘଟି ଜଣଙ୍କ ଘର ଛାତ ଉଡିଯାଇଛି । ବିସ୍ଫୋରଣରେ ବାଣ ତିଆରି କରୁଥିବା ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଉକ୍ତ ୪ ଜଣଙ୍କ ମଧ୍ୟରୁ ଦୁଇ ଜଣ ବୟସ୍କ ଥିବା ବେଳେ ଦୁଇଜଣ ନାବାଳକ ଥିବା ସୂଚନା ମିଳିଛି । ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ମିଳିଥିବା ସୂଚନା ମୁତାବକ, ଗତ ମଙ୍ଗଳବାର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ ଦେଉଳି ବଡସାହିରେ ଏକ ଭୟଙ୍କର ବାଣ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣରେ ଦମ୍ପତ୍ତି ଗୁରୁତର ଆହତ ହୋଇଥିଲେ । ଦମ୍ପତ୍ତି ଘରେ ବାଣ ଭିଡୁଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ଅଶୋକଙ୍କ ଦୁଇ ବଖରା ଆଜବେଷ୍ଟସ୍ ଉଡ଼ି ଯାଇଥିଲା ।