Photo For The News Of Kapalinadi

କପାଳୀ ନଦୀ ପାଖରେ ନିର୍ମାଣ ହେଉନି ରାସ୍ତା, ଗ୍ରାମକୁ ପଶୁୁଛି ନଦୀଜଳ, ଚାଷ ଜମି ପାଲଟିଛି ପଡ଼ିଆ

State

ଆଗରପଡ଼ା :ସରକାର ଗ୍ରାମାଂଚଳରେ ବସବାସ କରୁଥିବା ଜନସାଧାରଣଙ୍କର ଯାତାୟତ ପାଇଁ ମୁଖ୍ୟ ସ୍ଥାନକୁ ସଂଯୋଗ କରିଥିବା ରାସ୍ତା ନିର୍ମାଣ ସହ ଚାଷ ଓ ଚାଷୀର ଉନ୍ନତି ପାଇଁ ବହୁମୁଖି ଯୋଜନା ପ୍ରସ୍ତୁତ କରିଛନ୍ତି । ବନ୍ତ ବ୍ଳକ ରାମଚନ୍ଦ୍ରପୁର ପଂଚାୟତର ନିମପଡ଼ା ଗ୍ରାମ ଯାହା ପାଖରେ ଅଷ୍ଟ ବାଙ୍କ ହୋଇ କପାଳୀ ନଦୀ ପ୍ରବାହିତ ହୋଇଛି । ନଦୀ ପାଖରେ ଏକ ପକ୍କା ରାସ୍ତା ନିର୍ମାଣ ଜରୁରୀ ଥିଲେ ସୁଦ୍ଧା ତାହା ଅଦ୍ୟାବଧି ନିର୍ମାଣ ହେଉନି । ଯଦ୍ୱାରା ପ୍ରତିବର୍ଷ କପାଳୀ ନଦୀରେ ବନ୍ୟା ଜଳ ଗ୍ରାମକୁ ପ୍ରବେଶ କରିବା ସହ ଏହା ପାଖରେ ଥିବା ଦୁଇଏକର ବିଶିଷ୍ଟ ଚାଷ ଜମି କିଛିବର୍ଷ ହେବ ପଡ଼ିଆ ପାଲଟିଛି । ଘଟଣାରୁ ପ୍ରକାଶ ନିମପଡ଼ା ଗ୍ରାମ୍ୟ ଦେଇ କପାଳୀ ନଦୀ କେଉଁ ଆବାହମାନ କାଳରୁ ଅଷ୍ଟ ବାଙ୍କ ହୋଇ ପ୍ରବାହିତ ହୋଇଛି । ଉକ୍ତ ନଦୀର ସଂସ୍କାର ହୋଇନଥିବାରୁ ଏହା ମଧ୍ୟରେ କୃତ୍ରିମ କମଳ ଜଙ୍ଗଲ ସୃଷ୍ଟି ହୋଇ ଏହା କ୍ରମଶଃ ପୋତିହେବା ସହ ଏହାର ଆଡ଼ି କ୍ଷୟ ହେବାକୁ ବସିଛି । ନଦୀ କ୍ରମଶଃ ପୋତି ହୋଇ ଯାଉଥିବାରୁ ବର୍ଷାଋତୁରେ ଏହାର ବନ୍ୟା ଜଳ ଗ୍ରାମ୍ୟ ମଧ୍ୟକୁ ପ୍ରବେଶ କରୁଛି ।

ଫଳରେ ଗ୍ରାମବାସୀ ଯାତାୟତରେ ନାନା ସମସ୍ୟା ଭୋଗିବା ସହ ଏହା ପାଖରେ ଥିବା ଦୁଇଏକର ବିଶିଷ୍ଟ ଚାଷ ଜମି ପ୍ରତିବର୍ଷ ନଷ୍ଟ ହେଉଥିବାରୁ ଏହା ଚାଷ ଅନୁପଯୋଗୀ ହେବାରେ ଲାଗିଛି । ନଦୀ ପାଖରେ ଏକ ପକ୍କା ରାସ୍ତା ନିର୍ମାଣ ଜରୁରୀ ଥିବାରୁ ପ୍ରାୟ ୧୫ବର୍ଷରୁ ଉର୍ଦ୍ଧ ସମୟ ହେବ ଜିଲ୍ଲାପରିଷଦ ସଭ୍ୟଙ୍କ ସ୍ୱଳ୍ପ ଅର୍ଥରେ ଏହାକୁ ଏକ ମାଟି ରାସ୍ତାରେ ନିର୍ମାଣ କରାଯାଇଥିଲା । ପରବର୍ତ୍ତୀ ସମୟରେ ଗ୍ରାମ୍ୟ ଅଧିବାସୀମାନେ ଏହାକୁ ଏକ ପକ୍କା ରାସ୍ତାରେ ନିର୍ମାଣ ପାଇଁ ବହୁବାର ଦାବି କରିଥିଲେ ମଧ୍ୟ ତାହା ଅଦ୍ୟାବଧି ସଂଭବ ହୋଇପାରିନି । ଉକ୍ତ ରାସ୍ତା ନିର୍ମାଣ ହେଲେ ବନ୍ୟାଜଳ ପ୍ରବେଶରୁ ମୁକ୍ତି , ଯାତାୟତରେ ସୁବିଧା ସହ ଚାଷ କାର୍ଯ୍ୟ ହୋଇପାରନ୍ତା ବୋଲି ଗ୍ରାମବାସୀ ଆଶା ପୋଷଣ କରିଛନ୍ତ । ଉକ୍ତ ରାସ୍ତା ନିର୍ମାଣ ହେଲେ ଏହା ବନ୍ତ-ମହାନ୍ତିପଡ଼ାର ମୁଖ୍ୟ ରାସ୍ତାକୁ ସଂଯୋଗ ହେବା ସହ ଗ୍ରାମବାସୀମାନେ ନାନା ସମସ୍ୟାରୁ ମୁକ୍ତି ପାଇପାରନ୍ତେ । ଏଣୁ ବିଭାଗୀୟ ଅଧିକାରୀ ଉକ୍ତ ସମସ୍ୟା ପ୍ରତି ଗୁରୁତ୍ୱ ଦେବାକୁ ବିଭିନ୍ନ ମହଲରୁ ବାଦି ହୋଇଛି ।