ଭୁବନେଶ୍ୱର : ବିଜୁ ବାବୁ ଓଡ଼ିଶାର ବରପୁତ୍ର । ଆଧୁନିକ ଓଡ଼ିଶାର ନିର୍ମାତା । ଓଡ଼ିଶାକୁ ପୁନର୍ଗଠନ କରିବା ସହ ଶିଳ୍ପ କ୍ଷେତ୍ରକୁ ଅଗ୍ରାଧିକାର ଦେଇ ଆଗକୁ ନେଇଥିଲେ । ଓଡ଼ିଶା ପ୍ରତି ତାଙ୍କ ଅବଦାନ ଅତୁଳନୀୟ । ବିଜୁ ବାବୁ ଯେଉଁ ଆଧୁନିକ ଓଡ଼ିଶାର ସ୍ବପ୍ନ ଦେଖିଥିଲେ, ତାଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ସରକାର ପଛାଇବେ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଏହାସହ ବିଧାନସଭା ପରିସରରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ, ବିଜେପି କର୍ମୀ ଏବଂ ନେତା ଉପସ୍ଥିତ ରହି ବିଜୁବାବୁଙ୍କ ସ୍ମୃତିଚାରଣ କରିଛନ୍ତି । ଓଡ଼ିଆ ସ୍ୱାଭିମାନ ଓ ସଂକଳ୍ପର କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକ । ଓଡିଆଙ୍କ ଗର୍ବ ଏବଂ ଗୌରବ। ନୂଆ ଓଡ଼ିଶା ଗଠନ କରିବାରେ ତାଙ୍କର ଥିଲା ପ୍ରମୁଖ ଭୂମିକା ।
ସାହସୀ ଓ ନିର୍ଭିକ ବ୍ୟକ୍ତିତ୍ବ ଭାବେ ପ୍ରତିଟି ଓଡ଼ିଆଙ୍କ ମନରେ ସେ ରହିଛନ୍ତି । ବିଜୁ ବାବୁ ଥିଲେ ଏକ ଅଦ୍ୱିତୀୟ ବ୍ୟକ୍ତିତ୍ୱ, ଏକ ମହାନ ଜନନାୟକ। ଏହି ଅବସରରେ ସାରା ରାଜ୍ୟରେ ପାଳନ ହେଉଛି ବିଜୁ ଜୟନ୍ତୀ । ଭୁବନେଶ୍ବର ଫରେଷ୍ଟପାର୍କରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରି ସ୍ମୃତିଚାରଣ କରିଛନ୍ତି ନବୀନ ପଟ୍ଟନାୟକ । ନବୀନଙ୍କ ସମେତ ବିଜେଡି ବହୁ ବରିଷ୍ଠ ନେତା ଓ ଭୁବନେଶ୍ୱର ମେୟର ମଧ୍ୟ ଉପସ୍ଥିତ ଥିଲେ ।