Wc

ସରକାରୀ ବିଦ୍ୟାଳୟରେ ପାଠ ପଢ଼ିଥିବା ଅରବିନ୍ଦ ଏମ ବି ଏ ରେ ସ୍ବର୍ଣ୍ଣ ପଦକ ହାସଲ କଲେ

State

ବାରିପଦା: ସାମ୍ପ୍ରତିକ ସମାଜରେ ପିତାମାତା ନିଜନିଜର ପୁଅ ଝିଅଙ୍କୁ ପବ୍ଲିକ ସ୍କୁଲ / ଇଂଲିଶ ମିଡିୟମ ସ୍କୁଲରେ ପଢ଼ାଇଵା ପାଇଁ ବେଶ ପ୍ରତିଯୋଗିତା ମନଭାବ ଦେଖାଉଛନ୍ତି I ମାତ୍ର ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୱାଲିଗଞ୍ଜର ନବୀନ ମହାନ୍ତି ଓ ପ୍ରଭାତୀ ପଟ୍ଟନାୟକ ତାଙ୍କ ପୁତ୍ର ଅରବିନ୍ଦ ମହାନ୍ତିଙ୍କୁ ସରକାରୀ ସ୍କୁଲରେ ପାଠ ପଢ଼ାଇଲେ I ନବୀନ ବାବୁ ଯୋଗାଣ ବିଭାଗରେ ଓ ଶ୍ରୀମତୀ ପଟ୍ଟନାୟକ ବେଲଗଡ଼ିଆ ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ସରକାରୀ ଚାକିରୀ କରୁଥିଲେହେଁ ନିଜ ସାନ ପୁଅକୁ ସରକାରୀ ସ୍କୁଲରେ ପାଠ ପଢାଇବାକୁ ମନସ୍ଥ କରିଥିଲେ I ବେଲଗଡ଼ିଆ ସ୍କୁଲରୁ ପ୍ରାଥମିକ ଶିକ୍ଷା ହାସଲ କରିଵା ପରେ ଏମ କେ ସି ଉଚ୍ଚ ବିଦ୍ୟାଳୟ ଓ ଏମ ପି ସି ଜୁନିୟର ମହାବିଦ୍ୟାଳୟରୁ ବିଜ୍ଞାନରେ ଯୁକ୍ତ ଦୁଇ ପାସ କରି ଭୁବନେଶ୍ୱର ସ୍ଥିତ ସି ଭି ରମଣରେ ବି ଟେକ କରିବା ପରେ ନିଜ ପ୍ରତିଭା ବଳରେ ଜାମସେଦପୁର ସ୍ଥିତ ଟାଟା ଷ୍ଟିଲ ରେ ଆରମ୍ଭ କଲେ ନିଜର କର୍ମମୟ ଜୀବନ I ତାଙ୍କର କାର୍ଯ୍ୟଶୈଳୀ କୁ ଲକ୍ଷ୍ୟ କରି କମ୍ପାନୀ ନିଜ ଖର୍ଚ୍ଚରେ ତାଙ୍କୁ ଏକ୍ସ ଏଲ ଆର ଆଇ ପ୍ରତିଷ୍ଠାନ, ଜାମସେଦପୁର ରେ ଏମ ବି ଏ ପଢିବାପାଇଁ ସୁଯୋଗ ଦେଇଥିଲେ I ଅରବିନ୍ଦ କଠିନ ପରିଶ୍ରମ କରି ଶେଷରେ ସର୍ବାଧିକ ନମ୍ବର ରଖି ସ୍ବର୍ଣ୍ଣ ପଦକ ହାସଲ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି I ଖବର ପାଇ ପରିବାରରେ ଖୁସିର ଲହରୀ ଖେଳି ଯିବା ସହ ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟିଛି I ତାଙ୍କର ଏହି ସଫଳତା ଆଜିର ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଉଦାହରଣ ବୋଲି ତାଙ୍କୁ ବେଲଗଡ଼ିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ାଇଥିବା ତତ୍କାଳୀନ ଶିକ୍ଷକ ସୋମନାଥ ସିଂହ ପ୍ରକାଶ କରିଛନ୍ତି I ପ୍ରକାଶ ଥାଉକି ବେଲଗଡ଼ିଆ ସ୍କୁଲକୁ ଏକ କାର୍ଯ୍ୟକ୍ରମରେ ଆସିଥିବା ତତ୍କାଳୀନ ଜିଲ୍ଲାପାଳ ସି ଟି ଏମ ସୁଗୁଣା ମଧ୍ୟ ଅରବିନ୍ଦଙ୍କ ପ୍ରତିଭାକୁ ପରଖି ବେଶ ପ୍ରଶଂସା କରିଥିଲେ I