ନୂଆଦିଲ୍ଲୀ: ବିଦ୍ୟାଳୟରେ ପାଠପଢ଼ା ସମୟରେ ଛାତ୍ରଛାତ୍ରୀମାନେ ମୋବାଇଲ୍ ବ୍ୟବହାର କରିବା ଏକ ବଡ଼ ସମସ୍ୟା ଉଭା ହୋଇଛି । ସ୍କୁଲରେ ଫୋନ୍ ବ୍ୟବହାର କରିବା ବ୍ୟାନ ଥିଲା । ହେଲେ ଦିଲ୍ଲୀ ହାଇକୋର୍ଟ ଏହା ଉପରେ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଛାତ୍ରଛାତ୍ରୀଙ୍କ ଦ୍ବାରା ସ୍ମାର୍ଟ ଫୋନ୍ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ବ୍ୟାନ୍ ଲଗାଇବା ଅବାଞ୍ଛନୀୟ । ମାତ୍ର ଶିକ୍ଷା ବିଭାଗ ଏହା ଉପରେ ପୂର୍ବରୁ ପ୍ରତିବନ୍ଧକ ଲଗାଇଛି ।
ଶୁକ୍ରବାର ଦିଲ୍ଲୀ ହାଇକୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା । ଜଷ୍ଟିସ୍ ଅନୁପ ଜୟରାମ ଭବାନୀଙ୍କ ଜଣିକିଆ ଖଣ୍ଡପୀଠ ଏହା ଉପରେ ଏକ ଗାଇଡଲାଇନ ଜାରି କରିଛନ୍ତି । ସେ କହିଛନ୍ତି, ସ୍କୁଲରେ ସ୍ମାର୍ଟଫୋନ୍ ଅପବ୍ୟବହାର ଛାତ୍ରଛାତ୍ରୀମାନଙ୍କ ପାଠପଢ଼ାକୁ ପ୍ରଭାବିତ କରୁଛି। ହେଲେ ସ୍ମାର୍ଟ ଫୋନ ଦ୍ବାରା କିଛି ମାତ୍ରାରେ ଲାଭଦାୟକ ଉଦ୍ଦେଶ୍ୟ ମଧ୍ୟ ରହିଛି । ଯେଉଁଥିରେ ବାପା-ମାଆ ଏବଂ ପିଲାଙ୍କ ମଧ୍ୟରେ ସମ୍ମନ୍ବୟ ମଧ୍ୟ ସାମିଲ୍ ରହିଛି । ଯାହା ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ମଧ୍ୟ ଦେଉଛି । ତେଣୁ ସ୍କୁଲରେ ପିଲା ସ୍ମାର୍ଟ ଫୋନ୍ ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଠିକ୍ ନୁହେଁ ।
୨୦୨୩ ଅଗଷ୍ଟ ମାସରେ ଶିକ୍ଷା ନିର୍ଦ୍ଦେଶାଳୟ ଏକ ଗାଇଡଲାଇନ ଜାରି କରି ଦିଲ୍ଲୀର ସମସ୍ତ ସ୍କୁଲ ପରିସର ଓ ଶ୍ରେଣୀ ଗୃହରେ ମୋବାଇଲ ଫୋନ୍ ବ୍ୟାନ କରିଥିଲେ । ମାତ୍ର ଦିଲ୍ଲୀ ହାଇକୋର୍ଟ କହିଛନ୍ତି, ଏହି ଗାଇଡଲାଇନରେ ସ୍କୁଲରେ ସ୍ମାର୍ଟଫୋନ୍ ଅପବ୍ୟବହାର ରୋକିବାକୁ ବ୍ୟାପକ ନିର୍ଦ୍ଦେଶ ଦିଆଯାଇଛି । ନିଜ ରାୟରେ କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି, ସ୍ମାର୍ଟ ଫୋନ୍ ପିଲଙ୍କୁ ସୁରକ୍ଷା ଦେଉଥିବାରୁ ଏହାକୁ ସମ୍ପୂର୍ଣ୍ଣ ଭାବେ ବ୍ୟାନ କରିବା ଠିକ୍ ନୁହେଁ। କିନ୍ତୁ ପିଲାଙ୍କ ମାତ୍ରାଧିକ ବ୍ୟବହାର ଉପରେ ଦୃଷ୍ଟି ଦେବା ଜରୁରୀ ।