Tatto 768x393

ବିଦେଶିନୀଙ୍କ ଜଂଘରେ ଜଗନ୍ନାଥଙ୍କ ଟାଟୁ, ଥାନାରେ ଏତଲା

State

ଭୁବନେଶ୍ବର: ଓଡିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁଙ୍କୁ କରାଯାଇଛି ଅପମାନ । ଜଣେ ବିଦେଶିନୀଙ୍କ ଆଣ୍ଠୁ ଉପରେ ଜଗନ୍ନାଥ ଟାଟୁ ଆଙ୍କିଛନ୍ତି । ଏହି ଟାଟୁକୁ ଇନ୍‌ଷ୍ଟାଗ୍ରାମ୍‌ ଓ ହ୍ୱାଟସପ୍‌ରେ ସେୟାର କରାଯାଇଥିଲା । ଯାହାକୁ ନେଇ ସୃଷ୍ଟି ହୋଇଛି ବିବାଦ । ତେବେ ସହିଦ ନଗର ଥାନାରେ ଟାଟୁ କରିଥିବା ବିଦେଶିନୀ ଏବଂ ଟାଟୁ ଆଙ୍କିଥିବା ରକି ଟାଟୁ ନାଁରେ ଏତଲା ଦେଇଛନ୍ତି ଜଗନ୍ନାଥପ୍ରେମୀ ।

ମିଳିଥିବା ସୂଚନା ଅନୁସାରେ, ଜଂଘରେ ଟାଟୁ ଆଙ୍କିଥିବା ବିଦେଶିନୀ ଜଣଙ୍କ ଇଟାଲିର ବାସିନ୍ଦା । ସେ ହିନ୍ଦୁ ଧର୍ମାବଲମ୍ବୀ ମଧ୍ୟ ନୁହନ୍ତି । ବିଦେଶିନୀ ଜଣଙ୍କ କନ୍ଧମାଳର ଏକ ସ୍ଵେଚ୍ଛାସେବୀ ସଂଗଠନରେ କାମ କରୁଥିବା ଜଣାପଡ଼ିଛି ।

ସହିଦନଗରରେ ଥିବା ରକି ଷ୍ଟୁଡିଓ ପକ୍ଷରୁ ଦିଆଯାଇଥିବା ଷ୍ଟାଟସ୍‌ରେ ଜଣେ ବିଦେଶିନୀଙ୍କ ଆଣ୍ଠୁରେ ଜଗନ୍ନାଥ ଟାଟୁ ଥିବାର ନଜର ଆସିଥିଲା । ଏହି ଟାଟୁକୁ ଇନ୍‌ଷ୍ଟାଗ୍ରାମ୍‌ ଓ ହ୍ୱାଟସପ୍‌ରେ ସେୟାର କରାଯାଇଥିଲା । ଯାହାକୁ ନେଇ ବିବାଦ ବଢିଥିଲା ।

ଏହି ଘଟଣା ସାମ୍ନାକୁ ଆସିବା ପରେ ଭିଡିଓ କରି କ୍ଷମା ମାଗିଛନ୍ତି ରକି ଟାଟୁର ମାଲିକ । ଇଟାଲିର ଯୁବତୀ ଜଣଙ୍କ ଗତ ଶନିବାର ଷ୍ଟୁଡିଓକୁ ଆସି ଜଂଘରେ ଟାଟୁ କରିବାକୁ ଅନୁରୋଧ କରିଥିଲେ । ଏହାପରେ ଆର୍ଟିଷ୍ଟ୍‌ ତାହା କରିଦେଇଥିଲେ। ଉକ୍ତ ଟାଟୁ କରିଥିବା ଯୁବତୀଙ୍କୁ ସେ ଯୋଗାଯୋଗ କରିଛନ୍ତି । ବର୍ତ୍ତମାନ ଉକ୍ତ ଟାଟୁକୁ ଲିଭାଗଲେ ସଂକ୍ରମଣ ହୋଇଯିବାର ଆଶଙ୍କା ରହିଛି। ଯୁବତୀ ଜଣଙ୍କ ମାସେ ପରେ ଏଠାକୁ ଆସି ଟାଟୁକୁ ଲିଭାଇବେ କିମ୍ବା ତାହା ପରିବର୍ତ୍ତେ ସେହି ସ୍ଥାନରେ ଆଉ କିଛି ଆର୍ଟ କରିବେ ବୋଲି ରକି କହିଛନ୍ତି।

ପ୍ରଶ୍ନ ଉଠୁଛି ଟାଟୁ କରିଥିବା ରକି ଟାଟୁ କଣ ଜାଣି ପାରିଲେ ନାହିଁ ଜଗନ୍ନାଥଙ୍କୁ ଜଂଘରେ ଆଙ୍କିବା କେତେ ଦୂର ଯଥାର୍ଥ ?