ଭୁବନେଶ୍ୱର: ଅଙ୍ଗନଓ୍ବାଡ଼ି କେନ୍ଦ୍ର ପାଇଁ ଦିଆଯାଉଥିବା ଅଣ୍ଡା ଦାମ ବଢିଲା । ୫ ଟଙ୍କାରୁ ୭ ଟଙ୍କାକୁ ବୃଦ୍ଧି ହୋଇଛି ଅଣ୍ଡାର ମୂଲ୍ୟ । ଶିଶୁମାନଙ୍କ ପୋଷଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅଙ୍ଗନଓ୍ବାଡ଼ି କେନ୍ଦ୍ର ପାଇଁ ଦିଆଯାଉଥିବା ଅଣ୍ଡାର ମୂଲ୍ୟ ୨ ଟଙ୍କା ବଢାଇଛନ୍ତି । ଏ ବାବଦରେ ରାଜ୍ୟ ସରକାର ବର୍ଷକୁ ଅଧିକ ୧୭୫.୧୪ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ।
ସରକାର ଦେଉଥିବା ଅର୍ଥରେ ଆବଶ୍ୟକ ଅଣ୍ଡା ଦେବା ସମ୍ଭବ ହେଉନଥବା କର୍ମୀମାନେ ଅଭିଯୋଗ କରିଥିଲେ । ତେଣୁ ଅଣ୍ଡାର ମୂଲ୍ୟ ବୃଦ୍ଧି ଲାଗି ଦୀର୍ଘ ଦିନ ହେଲା ଦାବି ହୋଇଆସୁଥିଲା । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଏହି ସମସ୍ୟାକୁ ସ୍ବୀକାର କରିଥିଲେ ।
ବଜାରରେ ଅଣ୍ଡା ଗୋଟେର ଦାମ୍ ୮ ଟଙ୍କା ଥିବାବେଳେ ସରକାର ଦେଉଥିଲେ ୫ଟଙ୍କା । ଏହି କାରଣରୁ ଅଙ୍ଗନଓ୍ବାଡ଼ି ପିଲାଙ୍କୁ ମାସକୁ ୨୦ ବଦଳରେ ମାତ୍ର ୧୫ଟି ଅଣ୍ଡା ମିଳୁଥିଲା । ଗର୍ଭବତୀ ଓ ପ୍ରସୂତୀଙ୍କୁ ମାସିକ ୧୨ଟି ଅଣ୍ଡା ଦେବା କଥା, ମାତ୍ର ଅଙ୍ଗନଓ୍ବାଡ଼ି ଦିଦି କେଉଁଠି ୮ଟା ଆଉ କେଉଁଠି ୯ଟି ଦେଉଥିବା ଅଭିଯୋଗ ହୋଇଥିଲା । ଶେଷରେ ଅଙ୍ଗନଓ୍ବାଡ଼ି କେନ୍ଦ୍ର ପାଇଁ ଦିଆଯାଉଥିବା ଅଣ୍ଡା ମୂଲ୍ୟ ବୃଦ୍ଧି ହୋଇଛି ।
ଏହି ନିଷ୍ପତ୍ତି ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଏକ୍ସ ମାଧ୍ୟମରେ କୃତଜ୍ଞତା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।