ପଟ୍ଟାମୁଣ୍ଡାଇ: ମୋ ଝିଅ…ମୋ ଝିଅ…କୁଆଡ଼େ ଗଲୁ ମୋ ସୁନା ….କାହିଁକି ଏମିତି କଲୁ ….ମୋତେ ଛାଡ଼ି ଚାଲିଗଲୁ … କିଏ ମୋତେ ବୋଉ ବୋଲି ଆଉ ଡାକିବ…..କଲେଜରୁ ଆସି ଖାଇବାକୁ ଦେ ବୋଲି ମାଗିବ…. ଏମିତି ଭାବି ଭାବି ଭୋ ଭୋ ହୋଇ କାନ୍ଦୁଛି ମା । ଆଉ ଗୋଟେ ପରୀକ୍ଷା ଦେଇଥିଲେ +୩ ରେ ପାଠ ପଢ଼ି ଥାଆନ୍ତା ଝିଅ । ତା ଉଜ୍ଜ୍ବଳ ଭବିଷ୍ୟତ ପାଇଁ ସଫଳତାର ଆଉ ଗୋଟିଏ ପାହାଚ ଚଢ଼ିଥାଆନ୍ତା । ବାପା ମା’ଙ୍କ ଆଶା ଆଉ ସ୍ବପ୍ନକୁ ପୂରା କରିଥାଆନ୍ତା । ଆଉ ତା’ପରେ ଭଲ ପାତ୍ର ଦେଖି ଝିଅକୁ ବାହା ଦେଇଥାଆନ୍ତେ ବାପା ମା’ । ହେଲେ ତା’ ପୂର୍ବରୁ ଘଟିଗଲା ଏମିତି କିଛି । ସହିପାରିଲାନି ଅଧ୍ୟାପକଙ୍କ ବ୍ୟବହାର । ଚରମ ନିଷ୍ପତ୍ତି ନେଇଗଲା ଝିଅ ।
ହଁ ଆଜ୍ଞା, କପି ଯାଞ୍ଚ ଆଳରେ ଛାତ୍ରୀଙ୍କୁ ଅଧ୍ୟାପକଙ୍କ ଅସଦାଚରଣ ଅଭିଯୋଗ ହୋଇଛି । ଆଉ ଅସଦାଚରଣରେ ମାନସିକ ଆଘାତ ପାଇ ଜୀବନ ହାରିଛନ୍ତି ଜଣେ ଛାତ୍ରୀ । ଏପରି ଏକ ଘଟଣା କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଘଟିଛି । ଏନେଇ ଜୀବନ ହାରିଥିବା ଛାତ୍ରୀଙ୍କ ମା ଅଭିଯୋଗ କରିବା ପରେ ପୁଲିସ କଲେଜ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ତଦନ୍ତକୁ ଆଗକୁ ବଢାଇଛି ।
ତେବେ ପଟ୍ଟାମୁଣ୍ଡାଇ କଲେଜରେ+୨ ବାଣିଜ୍ୟ ପରୀକ୍ଷା ଦେଉଥିବା ବେଳେ ନିରୀକ୍ଷକ ସ୍କ୍ୱାର୍ଡର ଜଣେ ଅଧ୍ୟାପକ ଛାତ୍ରୀ ପ୍ରତି ଅସଦାଚରଣ କରିଥିବା ଲାଗି ଛାତ୍ରୀ ଜଣକ ଜୀବନ ହାରିଥିବା ନେଇ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି ମୃତ ଛାତ୍ରୀଙ୍କ ମା l ପଟ୍ଟାମୁଣ୍ଡାଇ ବଡପଡା ପଂଚାୟତର ଜଣେ ଯୁବତୀ ପଟ୍ଟାମୁଣ୍ଡାଇ କଲେଜରେ +୨ ବାଣିଜ୍ୟ ପରୀକ୍ଷା ଦେବାକୁ ଯାଇଥିଲେ l ପରୀକ୍ଷାରୁ ଫେରି ଘରେ ନିରୀକ୍ଷକ ସ୍କ୍ୱାର୍ଡର ଜଣେ ଅଧ୍ୟାପକ ତାଙ୍କୁ ଅସଦାଚରଣ କରିବା ସହ କମନ୍ ରୁମ୍ କୁ ଡାକି ତାଙ୍କର ସମ୍ବେଦନଶୀଳ ଅଙ୍ଗରେ ହାତ ମାରିଥିବା ନେଇ କହିଥିଲେ l ପରେ ଘରେ ଛାତ୍ରୀ ଜଣକ ଜୀବନ ହାରିଥିବା ନେଇ ମା ଲକ୍ଷ୍ମୀପ୍ରିୟା ନାୟକ ଅଭିଯୋଗ କରିଛନ୍ତି l
ମା’ଙ୍କ କହିବା ଅନୁଯାୟୀ । ୧୯ ତାରିଖରେ ଗୋଟିଏ ପରୀକ୍ଷା ଦେଇଥିବା ବେଳେ ୨୫ ତାରିଖ ଆଉ ଗୋଟିଏ ପରୀକ୍ଷା ଥିଲା । ୧୯ ତାରିଖ ପରୀକ୍ଷାରେ ଅସଦାଚରଣ ହୋଇଥିବା ନେଇ ମା ଆଗରେ ଅଭିଯୋଗ କରିଥିଲେ । ସେହି ଦିନ ଠୁ ଛାତ୍ରୀ ଜଣକ ଏକୁଟିଆ ରହିବାକୁ ପସନ୍ଦ କରିଥିଲେ । କାହାରି ସହ କିଛି କଥା ହୋଇ ନଥିଲେ । କିନ୍ତୁ ଛାତ୍ରୀ ଜଣଙ୍କ ୨୪ ତାରିଖ ରେ ଜୀବନ ହାରି ଦେଇଥିଲା । ପରିବାର ଲୋକେ ଗତ ୧ ତାରିଖ ରେ ଥାନାରେ ଅଭିଯୋଗ କରିଛନ୍ତି l ପୋଲିସ ତଦନ୍ତ ଚଳାଇଛି । ଅନ୍ୟପଟେ ପଟ୍ଟାମୁଣ୍ଡାଇ କଲେଜ ପ୍ରିନସିପାଲ ଦିଲୀପ କୁମାର ଭୂଇଆଁ କହିଛନ୍ତି ଆମ କଲେଜରେ ଏପରି କିଛି ଘଟଣା ଘଟିଥିବା ନେଇ ମୋ ପାଖକୁ ଖବର ଆସି ନାହିଁ । ଏବଂ ଆମର ଲେଡିସ୍ ଅଧ୍ୟାପିକା ମାନେ ଛାତ୍ରୀଙ୍କୁ ଯାଞ୍ଚ କରିଥାଆନ୍ତି । ଛାତ୍ରୀ ଜଣଙ୍କ ସେଦିନ ୩ ଘଣ୍ଟା ଧରି ପରୀକ୍ଷା ଦେଇଥିଲେ। ତେଣୁ ଏ ବିଷୟରେ ପୋଲିସ ତଦନ୍ତ ପରେ ଘଟଣା କଣ ସାମ୍ନାକୁ ଆସିବ ।