Alu

ଆଜି ବିଶ୍ୱ ଦହିବରା ଓ ଆଳୁଦମ ଦିବସ

State

ଭୁବନେଶ୍ୱର : ଆଜି ବିଶ୍ୱ ଦହିବରା ଓ ଆଳୁଦମ ଦିବସ ।   ମାର୍ଚ୍ଚ ୧ ତାରିଖକୁ ଦହିବରା ଆଳୁଦମ୍‌ ଦିବସ ଭାବେ କିଛି ବର୍ଷ ହେଲା ପାଳନ କରାଯାଉଛି ।   ଦହିବରା ଆଳୁଦମ୍‌ ଓଡ଼ିଆ ଲୋକଙ୍କ ପ୍ରିୟ ଖାଦ୍ୟ । ଦହିବରା.. ନାମ ଯେମିତି ସ୍ବାଦ ସେମିତି । ନାଁ ଶୁଣିଲେ ହିଁ ପ୍ରତ୍ୟେକ ଓଡିଆଙ୍କ ମୁହଁରେ ପାଣି ଆସିଯାଇଥାଏ । ସକାଳ ହେଉ କି ସନ୍ଧ୍ୟା ସବୁ ସମୟରେ ଲୋକେ ଦହିବରା ଖାଇବା ପାଇଁ ପସନ୍ଦ କରିଥାନ୍ତି । ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ଏହା ଖାଇବାକୁ ମିଳିଥାଏ। ହେଲେ କଟକରେ ମିଳୁଥିବା ଦହିବରା ଆଳୁଦମ୍‌ର ସୁଆଦ ଟିକେ ନିଆରା । ଏଠାକାର ଲୋକ ଦହିବରା ଆଳୁଦମ୍‌ ଖାଇବାକୁ ଖୁବ ଭଲ ପାଆନ୍ତି। ଦହିପାଣିରେ ଭିଜା ଯାଇଥିବା ବରା ସାଙ୍ଗକୁ ଆଳୁଦମ । ଏହା ସହ ପିଆଜ, ସେଓ ଓ ପୁଦିନା ଚଟଣି । ଦହିବରା ଖାଇବା ପରେ ରାଗ ଖଟା ଦହିପାଣି ପିଇ ମଜା ନେଇଥାନ୍ତି ଦହିବରା ପ୍ରେମୀ  । ବିଶେଷ କରି ଖରା ଦିନରେ ଦହିବରା ଖାଇବା ପରେ ଦହି ପାଣି ପିଇବାର ମଜା ଯିଏ ଅନୁଭବ କରିଛି ସିଏ ହିଁ କହିପାରିବ ଦହିବରାର ସ୍ୱାଦ କେତେ ଭଲ ।

ଦହିବରା ଆଳୁଦମ୍‌ ସାଧାରଣତଃ ଓଡିଶାର ପ୍ରତ୍ୟେକ ସ୍ଥାନରେ ମିଳିଥାଏ  । ଏହି ଉପଲକ୍ଷେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ ଚାଲିଛି ଏହି ଦିବସ । ଲୋକେ ଦହିବରା ଆଳୁଦମ ଖାଇ ଏହି ଦିବସ ମନାଇଛନ୍ତି । ବିଶେଷ କରି ଦହିବରା ଆଳୁଦମ ପାଇଁ ବିଶେଷ ଖ୍ୟାତି ଅର୍ଜନ କରିଥିବା କଟକ ସହରର ବିଭିନ୍ନ ସ୍ଥାନରେ ଦହିବରା ବିକ୍ରି ହେବା ସହିତ ଲୋକେ ମଧ୍ୟ ଏହାର ମଜା ଉଠାଇଛନ୍ତି।

ଭୁବନେଶ୍ଵରରେ ମଧ୍ୟ ଦହିବରା ଆଳୁଦମ୍‌ର ବେଶ ଚାହିଦା ରହିଛି । ରାଜଧାନୀ ଲୋକ ମଧ୍ୟ ଦହିବରା ଆଳୁଦମ୍‌କୁ ଖାଇବାକୁ ପସନ୍ଦ କରନ୍ତି । ଏଠାରେ ମଧ୍ୟ ବିଭିନ୍ନ ସ୍ଥାନରେ ସୁଆଦିଆ ଦହିବରା ଆଳୁଦମ୍‌ ମିଳିଥାଏ । ଯିଏ ଥରେ ଦହିବରା ଆଳୁଦମର ମଜା ନେଇଛି, ସେ ବାରମ୍ବାର ଆକୁ ହିଁ ଖୋଜିଛି ।