ନୂଆଦିଲ୍ଲୀ: ପୋକ୍ସୋ ମାମଲାରେ ସିଆଇଡିର ନୂଆ ଚାର୍ଜସିଟ୍ ପରେ ୟେଦିୟୁରପ୍ପାଙ୍କୁ କୋର୍ଟଙ୍କ ସମନ। ଗୁରୁବାର କର୍ଣ୍ଣାଟକର ଏକ ସ୍ୱତନ୍ତ୍ର କୋର୍ଟ ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପାଙ୍କୁ ଏନେଇ ସମନ କରିଛି। ପୂର୍ବରୁ ମଧ୍ୟ ୟେଦିୟୁରପ୍ପାଙ୍କ ବିରୋଧରେ ଏନେଇ ମାମଲା ବିଚାରାଧୀନ ଥିଲା। ହେଲେ ଏବେ କୋର୍ଟଙ୍କ ନୂଆ ସମନ ପରେ ମାମଲା ଆହୁରି ଗମ୍ଭୀର ହୋଇଛି। ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ହାଜର ହେବାକୁ କୋର୍ଟ ୟେଦିୟୁରପ୍ପାଙ୍କୁ ସମନରେ ନିର୍ଦ୍ଦେଶ ଦେଇଛନ୍ତି।
ଚଳିତ ବର୍ଷ ଫେବୃଆରୀ ୭ ତାରିଖରେ, କର୍ଣ୍ଣାଟକ ହାଇକୋର୍ଟ ବରିଷ୍ଠ ବିଜେପି ନେତା ବିଏସ ୟେଦିୟୁରପ୍ପାଙ୍କ ବିରୋଧରେ ହୋଇଥିବା ପୋକ୍ସୋ ମାମଲାକୁ ରଦ୍ଦ କରିବାକୁ ମନା କରିଦେଇଥିଲେ। ତେବେ ତାଙ୍କୁ ଏହି ମାମଲାରେ ଆଗୁଆ ଜାମିନ ଦେଇଥିଲେ ହାଇକୋର୍ଟ। ତେବେ ୟେଦିଙ୍କ ଆବେଦନକୁ ଆଶିଂକ ଭାବେ ଗ୍ରହଣ କରି କୋର୍ଟ କହିଥିଲେ ଯେ ମାମଲାର ବିଚାର ପାଇଁ ଦିଆଯାଇଥିବା ନିର୍ଦ୍ଦେଶକୁ ରଦ୍ଦ କରାଯାଇଛି, ସତ କିନ୍ତୁ ଅପରାଧ, ତଦନ୍ତ ଏବଂ ଚୂଡ଼ାନ୍ତ ରିପୋର୍ଟ ଅକ୍ଷୁର୍ଣ୍ଣ ରହିଛି ଜଷ୍ଟିସ୍ ଏମ୍ ନାଗପ୍ରସନ୍ନା କହିଥିଲେ।
ୟେଦିଙ୍କ ବିରୋଧରେ ୧୪ ମାର୍ଚ୍ଚ ୨୦୨୪ରେ ପୋକ୍ସୋ ଆଇନରେ ମାମଲାରେ ରୁଜୁ ହୋଇଥିଲା। ଜଣେ ମହିଳା ୟେଦ୍ୟୁରାପ୍ପାଙ୍କ ବିରୋଧରେ ଅଭିଯୋଗ ଆଣି କହିଥିଲେ ଯେ ୟେଦି ତାଙ୍କର ୧୭ ବର୍ଷୀୟା ଝିଅଙ୍କୁ ଅସଦାଚରଣ କରିଥିଲେ। ମହିଳାଙ୍କ ଅଭିଯୋଗ ଅନୁସାରେ ସେ ସହଯୋଗ ଆଶାରେ ୟେଦିଙ୍କ ବେଙ୍ଗାଲୁରୁର ଡଲାରସ୍ କଲୋନିସ୍ଥିତ ବାସଭବନକୁ ଯାଇଥିବା ବେଳେ ୟେଦି ତାଙ୍କ ଝିଅଙ୍କୁ ଅସଦାତରଣ କରିଥିଲେ। ଏମିତିକି ମାମଲାକୁ ଚପାଇ ଦେବାକୁ ସେ ଟଙ୍କା ଯାଚିଥିଲେ ବୋଲି ମହିଳା ଅଭିଯୋଗ କରିଥିଲେ। ତେବେ ସବୁଠାରୁ ବଡ଼ କଥା ହେଲା ମାମଲାର ତଦନ୍ତ ଚାଲିଥିବା ବେଳେ ମହିଳା ଜଣଙ୍କର କିନ୍ତୁ ମୃତ୍ୟୁ ହୋଇ ଯାଇଛି।
ଦିମ୍ବଗତ ମହିଳାଙ୍କ ଅଭିଯୋଗ ଆଧାରରେ, ପୁଲିସ ନାବାଳିକାଙ୍କ ଯୌନ ନିର୍ଯାତନା ପାଇଁ ୟେଦିୟୁରପ୍ପାଙ୍କ ବିରୁଦ୍ଧରେ ପୋକ୍ସୋ ଆଇନର ଧାରା ୮ ଏବଂ ଭାରତୀୟ ଦଣ୍ଡ ସଂହିତା (IPC)ର ଧାରା ୩୫୪(A) ଅନୁଯାୟୀ ଏକ ଏଫ୍ଆଇଆର୍ ରୁଜୁ କରିଥିଲା।
ମାମଲାରେ ଶୁଣାଣି ବେଳେ ୟେଦ୍ୟୁରାପ୍ପାଙ୍କ ଓକିଲ ଅଭିଯୋକୁ ଖଣ୍ଡନ କରିଥିଲେ। ମହିଳା ଓ ତାଙ୍କ ଝିଅ ଅନ୍ୟ ଜଣଙ୍କ ଠାରୁ ଯୌନ ନିର୍ଯାତନାର ଶିକାର ହେବା ପରେ ସେ ୟେଦିୟୁରପ୍ପାଙ୍କ ପାଖକୁ ସହଯୋଗ ମାଗିବାକୁ ଆସିଥିଲେ। ହେଲେ ଏଥିରେ ୟେଦ୍ୟୁରାପ୍ପାଙ୍କର କୌଣସି ସମ୍ପୃକ୍ତି ନାହିଁ ବୋଲି ତାଙ୍କ ଓକଲି କୋର୍ଟରେ କହିଥିଲେ।
ହେଲେ ସରକାରୀ ଓକିଲ ଏହାକୁ ଖଣ୍ଡନ କରିଥିଲେ। ସେ କହିଥିଲେ ଯେ ୟେଦିୟୁରପ୍ପାଙ୍କ ବିରୁଦ୍ଧରେ ପର୍ଯ୍ୟାପ୍ତ ପ୍ରମାଣ ରହିଛି। ଜଣେ ନାବାଳକଙ୍କୁ ଯୌନ ନିର୍ଯାତନା ଦେବାର ଅଭିଯୋଗ ଏକ “ଜଘନ୍ୟ” ଅପରାଧ ଯାହାର ବିଚାର ଆବଶ୍ୟକ ବୋଲି ସେ କହିଥିଲେ।