Nabin Patnaik Vc

ପୋଲାଭରମ ପ୍ରକଳ୍ପ ବିରୋଧରେ ଗଣଗର୍ଜନ, ଭର୍ଚୁଆଲରେ ସମାବେଶକୁ ସମ୍ବୋଧନ କଲେ ନବୀନ

State

ମାଲକାନଗିରି : ପୋଲାଭରମ ପ୍ରକଳ୍ପ ବିରୋଧରେ ରଣହୁଙ୍କାର ।  ଆଜି ମାଲକାନଗିରିର ମୋଟୁରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଶାଳ ଜନ ସମାବେଶ ।  ଏଥିରେ ଓଡ଼ିଶା ସମେତ ଆନ୍ଧ୍ର, ତେଲଙ୍ଗାନା ଓ ଛତିଶଗଡ଼ର ପ୍ରାୟ ପାଞ୍ଚ ହଜାର ଆଦିବାସୀ ସାମିଲ ହୋଇଥିଲେ ।  ଆନ୍ଦୋଳନକୁ ବିଜୁ ଜନତା ଦଳ ସମର୍ଥନ ଜଣାଇଥିବା ବେଳେ ଦଳର ବହୁ ନେତା ଯୋଗଦେଇଥିଲେ ।  ସେହିପରି ଆଦିବାସୀ ସଂଘ ମଧ୍ୟ ଆନ୍ଦୋଳନକୁ ସମର୍ଥନ ଜଣାଇଥିଲା ।

ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଶହ ଶହ ମହିଳା ମୁଗି ପଏଣ୍ଟରୁ ପାଣି କଳସ ନେଇ ଜଳ ସଂକଳ୍ପ ଯାତ୍ରା କରିଥିଲେ ।  ସାବେରୀ ଓ ସିଲେରୁ ନଦୀର ସଙ୍ଗମ ସ୍ଥଳୀ ମୁଗି ପଏଣ୍ଟରୁ ମୋଟୁ ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଜଳ ସଂକଳ୍ପ ପଦଯାତ୍ରା ଯାଇଥିଲା । ପ୍ରତିବାଦ ମଞ୍ଚରେ ଚାରି ରାଜ୍ୟର ଆଦିବାସୀ ଲୋକଙ୍କ ସହ ସ୍ଥାନୀୟ ନେତା ନିଜ ନିଜର ମତାମତ ରଖିଥିଲେ ।

ଭିଡିଓ କନଫରେନ୍ସିଂରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସଭାକୁ ସମ୍ବୋଧନ କରିଥିଲେ ।   ପୋଲାଭରମ ପ୍ରକଳ୍ପ ହେଲେ ମାଲକାନଗିରି ଜିଲ୍ଲାର ବହୁ ଅଂଚଳ ଜଳମଗ୍ନ ହେବ ।  ବହୁ ଆଦିବାସୀ ଭିଟାମାଟି ହରାଇବେ ।  ଲୋକଙ୍କ ହକ ଓ ଭିଟାମାଟି ପାଇଁ ବିଜେଡି ଲଢ଼େଇ ଜାରି ରଖିବ ।  ମୋଟୁ ଅଞ୍ଚଳର ଆଦିବାସୀଙ୍କୁ ଗୁରୁତ୍ବ ନଦେଇ ପୋଲାଭରମ ପ୍ରକଳ୍ପ କରାଗଲେ ଏହି ଆନ୍ଦୋଳନ ବ୍ୟାପକ ।  ଦିଲ୍ଳୀର ଯନ୍ତ୍ରର ମନ୍ତର ଠାରେ ପହଞ୍ଚିବ ବୋଲି ଚାରି ରାଜ୍ୟର ଆଦିବାସୀ ନେତା କହିଛନ୍ତି ।