କଟକ: ଘଟିଯାଇଛି ଦୁଃଖଦ ଘଟଣା । ବାଘୁଆ ମହୁମାଛି ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ । ଆଜି ବାଙ୍କୀ ବ୍ଲକ କଳାପଥର ଅଞ୍ଚଳ ଲେମ୍ବେରୀ କୃଷ୍ଣପଲ୍ଲୀ ରାସ୍ତାରେ ବାଘୁଆ ମହୁମାଛି ଆତଙ୍କ ଦେଖାଯାଇଥିଲା। ମହୁମାଛି ଆକ୍ରମଣରେ ଜଣଙ୍କ ଜୀବନ ଚାଲିଯାଇଛି । ୩ ଜଣ ଆହତ ହୋଇଛନ୍ତି ।
ସୂଚନାମୁତାବକ, ଶୁକ୍ରବାର ସକାଳୁ ସକାଳୁ ଲେମ୍ବେରୀ ଗାଁର ୪ ଜଣ ଲୋକ ମୁଗ ଜମିକୁ ଯାଉଥିଲେ । ଏତେ ସଂଖ୍ୟକ ମହୁମାଛି କେଉଁଠି ଥିଲେ କେଜାଣି । ମାଡି ଆସିଲେ ସେମାନଙ୍କୁ ବିନ୍ଧି ପକାଇଲେ । ଜୀବନ ବିକଳରେ ଯିଏ ଯୁଆଡେ ପାରିଲେ ଧାଇଁଲେ । ତେବେ ୩ ଜଣ ଜୀବନ ବଞ୍ଚାଇ ଦୌଡି ପଳାଇଥିଲେ । ତେବେ ବୟସ ଅଧିକ ହୋଇଥିବା ଯୋଗୁଁ ଗୁଣ୍ଡୁଚି ପ୍ରଧାନ ତଳେ ପଡିଯାଇଥିଲେ । ଏହାପରେ ଗାଁର କିଛି ଯୁବକ ତାଙ୍କୁ ଉଦ୍ଧାର କରି କଳାପଥର ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ । କିନ୍ତୁ ଡାକ୍ତର ଗୁଣ୍ଡୁଚିଙ୍କୁ ମୃତ ଘୋଷଣା କରିଥିଲେ ।
ଏପରି ଅଘଟଣକୁ ପରେ ଗାଁରେ ଶୋକର ଛାୟା ଖେଳିଯାଇଛି ।