ଭୁବନେଶ୍ବର: ଓଲିଉଡ୍ର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ପଞ୍ଚଭୂତରେ ବିଲୀନ ହୋଇଛନ୍ତି । ଅଶ୍ରୁଳ ଓ ଶୋକାକୁଳ ପରିବେଶ ମଧ୍ୟରେ ଆଜି ତାଙ୍କ ପାର୍ଥିବ ଶରୀରକୁ ଜଗନ୍ନାଥ ବିହାର ବାସଭବନରୁ ସତ୍ୟନଗର ଶ୍ମଶାନକୁ ନିଆଯାଇଥିଲା । ଆଜି ଅପରାହ୍ଣରେ ଭୁବନେଶ୍ବରର ସତ୍ୟନଗର ଶ୍ମଶାନରେ ସ୍ବର୍ଗତଃ ଉତ୍ତମ ମହାନ୍ତିଙ୍କ ପାର୍ଥିବ ଶରୀରକୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇଥିଲା ।
ଓଲିଉଡ଼ର ଘରେ ଘରେ ପରିଚିତ ଥିବା ଓଡିଶାର ପ୍ରଥମ ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତେବେ ଉତ୍ତମଙ୍କ ମରଶରୀରକୁ ପୁଅ ବାବୁସାନ ମହାନ୍ତି ମୁଖାଗ୍ନି ଦେଇଥିଲେ । ଏହି ଶୋକାକୁଳ ପରିବେଶରେ ଉତ୍ତମ ମହାନ୍ତିଙ୍କ ସଂପର୍କୀୟ, ପ୍ରଶଂସକ, ଶୁଭେଚ୍ଛୁ ଆଦି ଉପସ୍ଥିତ ଥିଲେ । ଉତ୍ତମଙ୍କ ବିୟୋଗରେ ଓଲିଉଡ୍ ତଥା ସାରା ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି ।
୧୯୫୮ ମସିହା ଡିସେମ୍ବର ୨୩ ତାରିଖରେ ସେ ମୟୂରଭଞ୍ଜର ବାରିପଦାଠାରେ ଜନ୍ମ ଗ୍ରହଣ କରିଥିଲେ । ସେ ଶତାଧିକ ଓଡ଼ିଆ ଚଳଚ୍ଚିତ୍ର ସହ ହିନ୍ଦୀ ଓ ବଙ୍ଗଳା ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ । ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସହ ଜୟଦେବ ପୁରସ୍କାର ଆଦି ବିଭିନ୍ନ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଥିଲା ।
୧୯୭୭ ମସିହାରେ ‘ଅଭିମାନ’ ଚଳଚ୍ଚିତ୍ରରୁ ଅଭିନୟ କ୍ଷେତ୍ରକୁ ସେ ପଦାର୍ପଣ କରିଥିଲେ । ଦଣ୍ଡାବାଳୁଙ୍ଗା, ରାମାୟଣ, ଫୁଲଚନ୍ଦନ, ଝିଅଟିସୀତାପରି, ଉଦଣ୍ଡୀ ସୀତା, ସୁନାଢ଼େଇ ଆଦି ଏକାଧିକ ଲୋକପ୍ରିୟ ଚଳଚ୍ଚିତ୍ରରେ ସହ ବିଭିନ୍ନ ଧାରାବାହିକରେ ସେ ଅଭିନୟ କରିଥିଲେ । ଉତ୍ତମ ମହାନ୍ତିଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଂସ୍କୃତିମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।