ଅନ୍ଧ କଲା ପ୍ରେମ । ପ୍ରେମରେ ବାଇଆ ହୋଇ ଅପରାଧ କରି ବସିଲା ପ୍ରେମିକ । ମୋ ପ୍ରେମରେ ଯିଏ କଣ୍ଟା ସାଜିବ ତାକୁ ଜୀବନରୁ ମାରିଦେବି । ଏମିତି କଥା ଭାବି ଭାବି ଶେଷରେ ଜଣଙ୍କ ଜୀବନ ନେଇଗଲା ପ୍ରେମିକ । ଜଣେ ପ୍ରେମିକାକୁ ଦୁଇ ଜଣ ପ୍ରେମିକ । ପ୍ରେମକୁ ପାଇବା ପାଇଁ ଜଣେ ନେଲା ଅନ୍ୟ ଜଣେ ପ୍ରେମିକର ଜୀବନ । କଥା ଟା ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ବି ଘଟଣା ପୁରା ସତ । ଅମିତ ନାମକ ଛାତ୍ରଙ୍କ ମୃତ୍ୟୁର ରହସ୍ୟ ଉପରୁ ପରଦା ଉଠାଇଛି ପୋଲିସ ।
କୁଣ୍ଢେଇଗୋଲା ଥାନା ତୁଙ୍ଗାମାଳ ଗାଁରେ ହୋଇଥିବା ଅମିତ ମୁଣ୍ଡାଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ । ଗୋଟିଏ ପ୍ରେମିକାକୁ ଥିଲେ ୨ ପ୍ରେମିକ । ତେବେ ଅମିତକୁ ରାସ୍ତାରୁ ହଟାଇବା ପାଇଁ ଅନ୍ୟ ଜଣେ ପ୍ରେମିକ ଷଢଯନ୍ତ୍ର କରିଥିଲା । ଆଉ ପ୍ଲାନ୍ ଅନୁସାରେ ରାତି ଅଧରେ ଅମିତକୁ କଲ୍ କରି ପାଖ ଜଙ୍ଗଲକୁ ଡାକିଥିଲା । ସେଠାରେ ଅମିତକୁ ହତ୍ୟାକରି ଜଙ୍ଗଲରେ ଲୁଚାଇଥିଲା ଅଭିଯୁକ୍ତ ।
ମିଳିଥିବା ସୂଚନା ଅନୁସାରେ ନାକ୍ଟିଦେଉଳ ଥାନା ଅନ୍ତର୍ଗତ ଚନ୍ଦ୍ରପୁର ଗାଁର ଲକ୍ଷ୍ମୀଧର ମୁଣ୍ଡାଙ୍କ ପୁଅ ଅଭିଯୁକ୍ତ ଶୁଶୀଲ ମୁଣ୍ଡା କିଛି ବର୍ଷ ହେଲା ତୁଙ୍ଗାମାଳ ସ୍ଥିତ ନିଜ ଭିଣୋଇ ସୁରେଇ ମୁଣ୍ଡା ଘରେ ରହୁଥିଲା । ସମୟ କ୍ରମେ ଶୁଶୀଲ ସେହି ଗାଁର ଜଣେ ଝିଅକୁ ପ୍ରେମ କରି ବସିଥିଲା । ତେବେ ଅମିତ ସେହି ଝିଅକୁ ଭଲ ପାଉଥିବା ଜାଣି ସହି ପାରି ନଥିଲା ଶୁଶୀଲ । ତେଣୁ ଅମିତର ଜୀବନ ନେବା ପାଇଁ ଶୁଶୀଲ ଓ ତା ସାଙ୍ଗ ଅମନ ସହ ପ୍ଲାନ୍ କରିଥିଲା ।
ଗତ ଜାନୁୟାରୀ ମାସରୁ ଶୁଶୀଲ ଓ ତା ସାଙ୍ଗ ଅମନ ଭୁବନେଶ୍ବର ଠାରେ କୌଣସି ଏକ କାରକାନାରେ କାମ କରିବାକୁ ଯାଇଥିଲେ । ଏବଂ ସେଠାରେ ହିଁ ଅମିତକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା ପ୍ରସ୍ତୁତ କରି ଗତ ସୋମବାର ଦିନ ସକାଳେ ଗାଁକୁ ଫେରିଥିଲେ । ତେବେ ଅମିତକୁ ତାଙ୍କ ଘରୁ ଫୋନକରି ଡାକିଥିଲେ ଦୁଇ ଅଭିଯୁକ୍ତ । ଏବଂ ଗାଁ ନିକଟ କୁଡାମୁଣ୍ଡା ଗିର୍ଦ୍ଧିନିହୂଳିକୁ ଡାକି ନେଇ ଅମିତକୁ ହତ୍ୟା କରିଥିଲେ । ପରେ ମୃତ ଶରୀରକୁ କିଛି ଦୂରକୁ ଟେକିନେଇ ଶୁଖିଲା ପତ୍ର ଘୋଡାଇ ସେଠାରୁ ଫେରାର ହୋଇଯାଇଥିଲେ ଦୁଇ ଅଭିଯୁକ୍ତ ।
ପୋଲିସ ଅମିତର ପରିବାର ଲୋକଙ୍କ ଅଭିଯୋଗକୁ ଆଧାର କରି ତଦନ୍ତ ଚଳାଇଥିଲା । ଆଉ ଏବେ ଘଟଣାର ପର୍ଦ୍ଦାଫାସ ହୋଇଛି । ତଦନ୍ତ ବେଳେ କୁରୋଡପୋଷି ଗାଁର ଅଭିଯୁକ୍ତ ଅମନ ଘରୁ ହତ୍ୟାକାଣ୍ଡରେ ବ୍ୟବହୃତ ସାମଗ୍ରୀ ସହ ଅମିତର ମୋବାଇଲକୁ ଜବତ କରିଥିଲା ପୋଲିସ । ୨ ଅଭିଯୁକ୍ତକୁ ଗିରଫ କରିବା ନେଇ ସୂଚନା ଦେଇଛନ୍ତି ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର । ଅଭିଯୁକ୍ତଙ୍କୁ କୋର୍ଟ ଚାଳାଣ କରାଯିବା ନେଇ ସେ ପ୍ରକାଶ କରିଛନ୍ତି । ପ୍ରେମ ପାଇଁ କେମିତି ଛାରଖାର ହୋଇଗଲା ଦୁଇ ପରିବାର । ପ୍ରେମ କର ମନା ନାହିଁ । କିନ୍ତୁ ଏମିତି ଅପରାଧ କରି ନିଜ ଜୀବନକୁ ନଷ୍ଟ କରନ୍ତୁ ନାହିଁ ।