ଆଗରପଡ଼ା :ପିଲାଙ୍କ ଉପସ୍ଥାନକୁ ଦୃଷ୍ଟିରେ ରଖି ନିକଟସ୍ଥ ବିଦ୍ୟାଳୟରେ ମିଶି ଯାଇଥିବା ୪ହଜାରରୁ ଅଧିକ ବିଦ୍ୟାଳୟ ମଧ୍ୟରୁ ୪୪ଟି ବିଦ୍ୟାଳୟ ପୁଣିଥରେ ଖୋଲାଯାଇଥିବା ଜଣାପଡ଼ିଛି । ରାଜ୍ୟରେ ଯେଉଁ ସବୁ ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କ ସଂଖ୍ୟା ୨୦ରୁ କମ୍ ୍ଥିଲା ସେହିସବୁ ବିଦ୍ୟାଳୟକୁ ନିକଟରେ ଏକ କିଲୋମିଟର ଦୂରତା ମଧ୍ୟରେ ଥିବା ବିଦ୍ୟାଳୟ ସହିତ ମିଶାଇ ଦେବାପାଇଁ ୨୦୨୦ ମସିହାରେ ସରକାର ନିଷ୍ପତ୍ତି ନେବା ସହିତ ବିଜ୍ଞପ୍ତି ପ୍ରକାଶ କରିଥିଲେ । ତଦନୁଯାୟୀ ବିଭିନ୍ନ ଜିଲ୍ଲାର ୪୬୧୯ଟି ବିଦ୍ୟାଳୟର ନିକଟସ୍ଥ ବିଦ୍ୟାଳୟ ସହିତ ମିଶ୍ରଣ ହୋଇଥିଲା । ଏହି ମିଶ୍ରଣ ତାଲିକାରେ ସବୁଠାରେ ଆଗରେ ରହିଛି କଟକ ଜିଲ୍ଲା । ଛାତ୍ରଛାତ୍ରୀ ଅଭାବରୁ ଏହି ଜିଲ୍ଲାର ୩୯୩ଟି ବିଦ୍ୟାଳୟର ମିଶ୍ରଣ ହୋଇଥିବାବଳେ ଗଞ୍ଜାମର ୩୨୬ଟି, ମୟୁରଭଞ୍ଜର ୩୦୮ଟି, ଯାଜପୁରର ୨୮୩ଟି, କୋରାପୁଟର ୨୪୮ଟି, ଗଜପତିର ୨୪୭ଟି, ବରଗଡର ୨୦୩ଟି, କେନ୍ଦ୍ରାପଡାର ୧୯୫ଟି, ଜଗତସିଂହପୁରର ୧୮୯ଟି, ଭଦ୍ରକର ୧୮୩ଟି ଓ କନ୍ଧମାଳର ୧୮୧ଟି ବିଦ୍ୟାଳୟ ରହିଛି । ପୁରୀ ଜିଲ୍ଲାରେ ଗୋଟିଏ ହେଳେ ବିଦ୍ୟାଳୟ ମିଶ୍ରଣ ତାଲିକାରେ ନଥିବାବେଳେ ସବୁଠାରୁ କମ୍ ମାତ୍ର ୪୩ଟି ବିଦ୍ୟାଳୟ ମାଲକାନଗିରି ଜିଲ୍ଲାରେ ରହିଛି । ବିଦ୍ୟାଳୟ ମିଶ୍ରଣ ପରେ ବିଭିନ୍ନ ଜିଲ୍ଲାରେ ଅସନ୍ତୋଷ ପ୍ରକଟ ପାଇବା ସହିତ ଯେଉଁସବୁ ବିଦ୍ୟାଳୟରେ ଧାର୍ଯ୍ୟ ମାନଠାରୁ ଅଧିକ ପିଲା ଆସୁଛନ୍ତି ତାହାକୁ ପୁଣିଥରେ ଖୋଲିବାକୁ ମତପ୍ରକାଶ ପାଇଥିଲା । ବିଶେଷକରି ଯେଉଁସବୁ ସ୍ଥାନରେ ଏକ କିଲୋମିଟର ସୀମା ମଧ୍ୟରେ ବିଦ୍ୟାଳୟ ମିଶ୍ରଣ ହୋଇଥିଲା ଏବଂ ପିଲାମାନେ ପ୍ରମୁଖ ରାସ୍ତା ପାରହୋଇ ସେହିସବୁ ବିଦ୍ୟାଳୟକୁ ଯାଉଥିଲେ ସେଠାରେ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଥିଲା ।
ଏହାଛଡା ଯେଉଁସବୁ ବିଦ୍ୟାଳୟରେ ତାଲା ଝୁଲିଲା ତାହା ଅସାମାଜିକ ବ୍ୟକ୍ତଙ୍କ ଆଡ୍ଡା ସ୍ଥଳିରେ ପରିଣତ ହେବାରେ ଲାଗିଲା । ତେବେ ଅଭିଭାବକ ଓ ଜନସାଧାରଣଙ୍କ ଅସନ୍ତୋଷକୁ ଆଖିଆଗରେ ରଖି ସରକାର ନୂତନ ନିୟମ ପ୍ରଣୟନ କରିଥିଲେ । ନିୟମାନୁସାରେ ବନ୍ଦ ସ୍କୁଲକୁ ଖୋଲିବାପାଇଁ ପ୍ରସ୍ତାବ ହସ୍ତଗତ ହେଲେ ପ୍ରଥମେ ଜିଲ୍ଲାସ୍ତରୀୟ କମିଟି ଏହାର ଯାଂଚ କରିବ ଏବଂ ରାଜ୍ୟସ୍ତରୀୟ କମିଟିର ମତାମତ ପାଇଁ ପଠାଇବ । ଏବଂ ପରେ ରାଜ୍ୟସ୍ତରୀୟ କମିଟିର ସୁପାରିଶ୍ କ୍ରମେ ବନ୍ଦ ବିଦ୍ୟାଳୟଗୁଡିକ ପୁନଃ ଖୋଲାଯିବାକୁ ସ୍ଥିର ହୋଇଥିଲା । ଏହି ନିୟମାନୁସାରେ ଏବେ ରାଜ୍ୟରେ ମିଶ୍ରଣ ହୋଇଥିବା ୪୬୧୯ଟି ବିଦ୍ୟାଳୟରୁ ୪୪ଟି ବିଦ୍ୟାଳୟ ଖୋଲିଛି । ଏହି ୪୪ଟି ବିଦ୍ୟାଳୟଗୁଡିକ ବରଗଡ, ଦେବଗଡ, ଢେଙ୍କାନାଳ, ଯାଜପୁର ଓ ଖୋର୍ଦ୍ଧା ଜିଲ୍ଲାର । ଏହିପରି ସ୍ଥିତିରେ ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକରେ ଅଭିଭାବକମାନେ ମାନେ ମିଶ୍ରଣ ପ୍ରକ୍ରିୟାକୁ ବିରୋଧ କରି ଉଚ୍ଚନ୍ୟାୟାଳୟର ଆଶ୍ରିତ ମଧ୍ୟ ହୋଇଛନ୍ତି । ତେଣୁ ପିଲାଙ୍କ ଭବିଷ୍ୟତକୁ ଆଖିଆଗରେ ରଖି ଭଦ୍ରକ ଜିଳ୍ଲାରେ ବନ୍ଦ ହୋଇଥିବା ୧୮୩ଟି ବିଦ୍ୟାଳୟ ପ୍ରତି ସରକାରଙ୍କ ଦୃଷ୍ଟି କେବେ ପଡ଼ିବ ଓ ବିଭାଗୀୟ ଅଧିକାରୀ ସରକାରଙ୍କ ନୂତନ ନିୟମ ପାଳନ କରିବା ପୂର୍ବକ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାହା ଦେଖିବାକୁ ବାକି ରହିଲା ।

