ଆଗରପଡ଼ା :ବର୍ତ୍ତମାନ ମାଟ୍ରିକ ପରୀକ୍ଷା ଚାଲିଛି । ଏହି ପରିପ୍ରେକ୍ଷୀରେ ବନ୍ତ ହାଇସ୍କୁଲ ମାଟ୍ରିକ ପରୀକ୍ଷା କେନ୍ଦ୍ର ହୋଇଛି । ହେଲେ ବିଦ୍ୟାଳୟର ମୁଖ୍ୟ ଫାଟକ ବନ୍ଦ ରହିଥିବା ଯୋଗୁଁ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି । ଅବଶ୍ୟ ପାଖ ଅନ୍ୟ ଏକ ଫାଟକ ଦେଇ ପରୀକ୍ଷାର୍ଥୀଙ୍କୁ ଯା’ ଆସ କରିବାକୁ ପଡୁଛି । ପୂର୍ବ ରାଜ୍ୟ ସରକାର ଅମଳରେ ଉକ୍ତ ବିଦ୍ୟାଳୟକୁ ୫-ଟି ଯୋଜନାରେ ସାମିଲ କରାଯାଇ ୩୮ଲକ୍ଷ ଟଙ୍କା ବ୍ୟୟରେ ବିଦ୍ୟାଳୟର ଉନ୍ନତୀକରଣ କରାଯାଇଥିଲା । ହେଲେ ଦୀପ ତଳ ଅନ୍ଧାର ପରି ଏହି ବିଦ୍ୟାଳୟ ରୂପରେଖରେ ପରିବର୍ତ୍ତନ ହୋଇପାରିଲାନାହିଁ । ଏହି ଯୋଜନାରେ ବିଦ୍ୟାଳୟର ଫାଟକକୁ ସୁନ୍ଦର ଭାବେ ନିର୍ମାଣ କରାଯାଇଥିଲେ ମଧ୍ୟ ସଂଯୋଗୀ ରାସ୍ତା ହୋଇପାରି ନଥୁବାରୁ ଦୀର୍ଘ ଦିନ ଧରି ଫାଟକ ବନ୍ଦ ରହିଛି । ଏ ସମ୍ପର୍କିତ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପାଖ ନୟନଯୋରି ଉପରେ କିଛି ମାସ ପୂର୍ବେ ଏକ ପକ୍କା ପୋଲ ନିର୍ମାଣ ହୋଇଥିଲା । ମାତ୍ର ଦୁର୍ଭାଗ୍ୟର ବିଷୟ, ଉକ୍ତ ପୋଲ କାମ ଅଦ୍ୟାବଧି ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଛି । ସଂପ୍ରତି ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇସାରିଛି । ଏହି ବିଦ୍ୟାଳୟରେ ୫ଟି ବିଦ୍ୟାଳୟର ୧୯୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଅନ୍ୟ ପକ୍ଷରେ ବିଦ୍ୟାଳୟଟି ବ୍ଲକ ସଦର ମହକୁମାରେ ଥିବାରୁ ପ୍ରତି ବର୍ଷ ଏଠାରେ ମାଟ୍ରିକ ପରୀକ୍ଷା କେନ୍ଦ୍ର ସହ ନବୋଦୟ ଓ ବିଭିନ୍ନ ବୃତ୍ତି ପରୀକ୍ଷା ହେଉଥିଲେ ମଧ୍ୟ ଏହି ବିଦ୍ୟାଳୟ ପ୍ରତି ପ୍ରଶାସନର ଶୁଭ ଦୃଷ୍ଟି ନପଡ଼ିବା ବିଡ଼ମ୍ବନାର ବିଷୟ ବୋଲି କୁହାଯାଉଛି । ଉକ୍ତ ସମସ୍ୟାକୁ ନେଇ ପ୍ରଧାନଶିକ୍ଷକଙ୍କୁ ଯୋଗାଯୋଗ କରିବାରୁ ସେ ଏନେଇ ବିଭାଗୀୟ ଅଧିକାରୀ ଓ ଜନ ପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିବା କହିଥିଲେ । ସରକାର ଏହି ଅସମ୍ପୂର୍ଣ କାର୍ଯ୍ୟକୁ ସାରିବା ପାଇଁ ନିର୍ଦ୍ଦେଶ ଦେବାକୁ ଅଭିଭାବକ ମହଲରେ ଦାବି ହେଉଛି ।
