- ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମର ସଫଳତା ନେଇ ଆଲୋଚନା
- ସମସ୍ତଙ୍କ ସହଯୋଗରେ ବ୍ଲକର ବିକାଶ ହୋଇପାରିବ: ବିଧାୟକ
ଆଗରପଡ଼ା :ବନ୍ତ ବ୍ଲକ ସମ୍ମିଳନୀ କକ୍ଷରେ ପଞ୍ଚାୟତ ସମିତିର ୬ଷ୍ଠ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ କିପରି ସଫଳ ହୋଇପାରିବ ସେ ନେଇ ଆଲୋଚନା ହୋଇଥିଲା । ଏଥିସହ ଗ୍ରାମ୍ୟ ଉନ୍ନୟନ, ବିଦ୍ୟୁତ୍, ଶିକ୍ଷା, ପାନୀୟଜଳ ଯୋଗାଣ, ପ୍ରାଣୀ ଚିକିତ୍ସା, ପଂଚାୟତରାଜ ଆଦି ବିଭିନ୍ନ ବିଭାଗ ସମ୍ପର୍କରେ ଜନପ୍ରତିନିଧି ମାନେ ବିଭିନ୍ନ ଅଭିଯୋଗ କରିଥିଲେ । ବିଶେଷକରି ଆର.ଡି ଓ ବିଦ୍ୟୁତ ବିଭାଗର ଅବହେଳା ସଂପର୍କରେ ଆଲୋଚନା ହୋଇଥିଲା । ଭାରପ୍ରାପ୍ତ ବିଡିଓ ନିଶିକାନ୍ତ ଖୁଣ୍ଟିଆଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ ଅଧ୍ୟକ୍ଷତା କରିଥିଲେ । ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ ଯୋଗ ଦେଇ ସମସ୍ତଙ୍କ ସହଯୋଗରେ ବ୍ଲକର ବିକାଶ ହୋଇପାରିବ ବୋଲି କହିଥିଲେ । ଏଥିସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରି ପକ୍କା ଘର ଯୋଗାଇ ଦେବାକୁ ଉପସ୍ଥିତ ଅଧକାରୀଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ଅତିରିକ୍ତ ତହସିଲଦାର ପ୍ରଶାନ୍ତ ପୁହାଣ, ସାଂସଦ ପ୍ରତିନିଧି ସନ୍ତୋଷ ନାୟକ, ବ୍ଲକ ଉପାଧ୍ୟକ୍ଷା ପ୍ରଗତିବାଳା ସ୍ୱାଇଁ ଉପସ୍ଥିତ ଥିଲେ । ଜିପିଡିଓ ସୁଚୀସ୍ମିତା ବାରିକ ପୂର୍ବ ବୈଠକର ବିବରଣୀ ପାଠ, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଶ୍ରଦ୍ଧା ସୁମନ ନାଥ ବିକଶିତ ଗାଁ ବିକଶିତ ଓଡିଶା ଯୋଜନାରେ ୨୫ ପଂଚାୟତକୁ ପ୍ରଦାନ କରାଯାଇଥିବା ଅନୁଦାନ ରାଶି ସମ୍ପର୍କରେ ସୂଚନା ଦେଇଥିଲେ । ଆରଡି ଅଫିସକୁ କୌଣସି ଅଧିକାରୀ ଆସୁନଥିବା ଏବଂ ବହୁ ସମୟରେ ଅଫିସରେ ତାଲା ପଡୁଥିବା,ଟିଲୋ ତାଳପଦା, ତ୍ରିକୋଣା, ଦେବତାଗଢିଆ ଆଦି ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବା ଏବଂ ପ୍ରାଣୀ ଚିକିତ୍ସାଳୟ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ସଂପର୍କରେ ଟିଲୋ ସରପଂଚ ସଂଗ୍ରାମ କେଶରୀ ଜେନା ଅଭିଯୋଗ କରିଥିଲେ । ଗ୍ରାମସଭାକୁ ସମିତିସଭ୍ୟଙ୍କୁ ଡକା ଯାଉନଥିବା ନେଇ ବନ୍ତ ସମିତିସଭ୍ୟ ପରମେଶ୍ୱର ବାରିକ ଅଭିଯୋଗ କରିଥିଲେ । ବିଦ୍ୟୁତ ବିଭାଗ ଅଧିକାରୀ ମାନେ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରୁଥିବା ନେଇ ଶ୍ରୀ ବାରିକ ଅଭିଯୋଗ କରିଥିଲେ । ଆଗରପଡାକୁ ବ୍ଲକ ମାନ୍ୟତା ଓ ସେଣ୍ଢତୀରାରେ ନୂଆ ଆର.ଆଇ ଅଫିସ ପ୍ରତିଷ୍ଠା କରିବାକୁ ସେଣ୍ଢତୀରା ସମିତିସଭ୍ୟ ପ୍ରେମାନନ୍ଦ ନାୟକ ଦାବି କରିଥିଲେ । ଧାନଘର ଛକର ମୁଣ୍ଡଳୀ ଆର.ଡି ରାସ୍ତାର ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ରହିଥିବା ନେଇ ପୁରୁଷଣ୍ଢ ସରପଂଚ ପ୍ରକାଶ ବିଶ୍ୱାଳ ଅଭିଯୋଗ କରିଥିଲେ । ପାନୀୟ ଜଳ ଯୋଗାଣ ପ୍ରକଳ୍ପ ହୋଇଛି କିନ୍ତୁ ଲୋକ ମାନେ ପାଣି ପାଉନାହାନ୍ତି ବୋଲି ମହାନ୍ତିପଡା ସରପଂଚ ନିହାର ରଞ୍ଜନ ପଣ୍ଡା ଅଭିଯୋଗ କରିଥିଲେ । ଅଣିଜୋ ସରପଂଚ ମାଳତୀଇତା ପୃଷ୍ଟିଙ୍କ ସମେତ ଅନ୍ୟ ଜନପ୍ରତିନିଧିମାନେ ବିଭିନ୍ନ ସମସ୍ୟା ସଂପର୍କରେ ଅଭିଯୋଗ କରିଥିଲେ । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରକାଶ ସାହୁ, ବ୍ଲକ କୃଷି ଅଧିକାରୀ ତୁଷାରକାନ୍ତ ପତି, ଏବିଇଓ ହରେକୃଷ୍ଣ ଆପଟ, ବିଦ୍ୟୁତ ବିଭାଗ କନିଷ୍ଠ ପରିଚାଳକ ମାନସ ରଞ୍ଜନ ପଣ୍ଡା, ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ସୁରଥ ବେହେରା, ବ୍ଲକ ଯୋଗାଣ ଅଧିକାରୀ ଶ୍ରଦ୍ଧାଞ୍ଜଳୀ ମଲ୍ଲିକ, ବ୍ଳକ ପ୍ରାଣୀ ଚିକିତ୍ସାଧିକାରୀ ଯୋଗମାୟା ସିଂଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଏଥିରେ ୨୫ ପଂଚାୟତର ସରପଂଚ, ସମିତିସଭ୍ୟ/ସଭ୍ୟା ଯୋଗ ଦେଇଥିଲେ । ମିତ୍ରଭାନୁ ସ୍ୱାଇଁ ଏବଂ ରତନି ଜେନାଙ୍କ ସମେତ ଅନ୍ୟ ମାନେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।