Pakistan 7

ପାକିସ୍ତାନର ନୂଆ ଡ୍ରାମା, ଚାମ୍ପିଅନ୍ସ ଟ୍ରଫି ଡ୍ୟୁଟି କରିବାକୁ ମନା କରିବାରୁ ୧୦୦ ପୋଲିସକର୍ମୀ ବହିଷ୍କୃତ

National & International

ପାକିସ୍ତାନ ଦୀର୍ଘ ୨୭ ବର୍ଷ ପରେ ଆଇସିସି ଚାମ୍ପିଅନ୍ସ ଟ୍ରଫିର ଆୟୋଜନ କରୁଛି । କିନ୍ତୁ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ବିବାଦରେ ରହିଛି । ଏବେ ପୁଣି ଚାମ୍ପିଅନ୍ସ ଟ୍ରଫି ସହିତ ଜଡିତ ନୂଆ ବିବାଦ ସାମ୍ନାକୁ ଆସିଛି । ପାକିସ୍ତାନର ପଞ୍ଜାବ ପ୍ରାନ୍ତରୁ ୧୦୦ରୁ ଅଧିକ ପୋଲିସକର୍ମୀଙ୍କୁ ବହିଷ୍କୃତକରାଯାଇଛି । ଏମାନେ ଚାମ୍ପିଅନ୍ସ ଟ୍ରଫି ଡିଟ୍ୟୁ କରିବାକୁ ମନା କରିଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ।

ପଞ୍ଜାବ ପୋଲିସ ଅଧିକାରୀଙ୍କ ମୁତାବକ, ବହିଷ୍କୃତ ପୋଲିସକର୍ମୀଙ୍କୁ ବାରମ୍ବାର ଡ୍ୟୁଟିରୁ ଗାଏବ ହୋଇଥିଲେ । ଏହାଛଡ଼ା ଅଧିକ ସଂଖ୍ୟାରେ ପୋଲିସକର୍ମୀ ଲାହୋରର ଗଦାଫି ଷ୍ଟାଡିୟମ ଏବଂ ହୋଟେଲ ମଧ୍ୟରେ ଖେଳାଳିଙ୍କ ସୁରକ୍ଷା ପାଇଁ ନିୟୋଜିତ ରହିଥିଲେ । କିନ୍ତୁ ସେମାନେ ନିଜ କର୍ତ୍ତବ୍ୟ ନ କରି ଗାଏବ ରହିଥିଲେ । ଏଥିପାଇଁ ଏମାନଙ୍କୁ ବହିଷ୍କୃତକରାଯାଇଛି ।

ଉସ୍ମାନ ଅନୱର କହିଛନ୍ତି, ଆମେ ପୋଲିସକର୍ମୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବୁ । ଏତେ ବଡ ଟୁର୍ଣ୍ଣାମେଣ୍ଟରେ ଏଭଳି ଦାୟିତ୍ବହୀନ କାମ କରିଛନ୍ତି । ତେବେ କାହିଁକି ପୋଲିସକର୍ମୀ ଡ୍ୟୁଟି କରିବାକୁ ମନା କରିଥିଲେ, ତାହା ଜଣାପଡିନାହିଁ ।

ସୂଚନାଯୋଗ୍ୟ, ଲାହୋରର ଗଦାଫି ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଜଣେ ଯୁବକ ଭାରତୀୟ ପତାକା ହଲାଉଥିବା ଦେଖିବାକୁ ମିଳିଥିଲା । ସୁରକ୍ଷା କର୍ମୀମାନେ ଯୁବକଙ୍କ ପାଖକୁ ଯାଇ ତାଙ୍କ କଲର ଧରି ତାଙ୍କୁ ସିଟ୍ ରୁ ଉଠାଇ ନେଇଥିଲେ । ଏହାପରେ ସେମାନେ ତାଙ୍କ ପୋଷାକକୁ ଧରି ବାହରକୁ ଟାଣି ନେଇ ଯାଇଥିଲେ । ଏହାପରେ ତାଙ୍କୁ ଗିରଫ କରାଯାଇଛି । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।