ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲା ଥାନା ତିଲଡେଗା ନିକଟରେ ଅଘଟଣ । ଶିବ ମନ୍ଦିର ଯାଉଥିବାବେଳେ ଜଣେ ମହିଳା ଓ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ବାଘୁଆ ମହୁମାଛି । ଏଥିରେ ମହିଳା ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ଜଣେ କାଠୁରିଆ ମଧ୍ୟ ମହୁମାଛିଙ୍କ ଆକ୍ରମଣର ଶିକାର ହୋଇଛନ୍ତି ।
ମୃତ ମହିଳା ଜଣକ ହେଲେ ଗାଇଡେଗାର ଦେବକୀ ରଣା । ତେବେ ମହୁମାଛିଙ୍କ ଆକ୍ରମଣରେ ଗୁରୁତର ହୋଇଥିବା ଦୁଇ ଜଣଙ୍କର ଚିକିତ୍ସା ଜାରି ରହିଛି ।
ମିଳିଥିବା ସୂଚନା ଅନୁସାରେ, ଆଜି ଶିବରାତ୍ରୀ ଅବସରରେ ଦେବକୀ ରଣା ଜଣେ ଯୁବକଙ୍କ ସହ ବାଇକରେ ପାଖ ମନ୍ଦିରକୁ ଯାଉଥିଲେ । ଏହି ସମୟରେ ନିକଟ ଜଙ୍ଗଲକୁ ଯାଇଥିବା ଜଣେ କାଠୁରିଆଙ୍କୁ ହଠାତ ବାଘୁଆ ମହୁମାଛି ଆକ୍ରମଣ କରିଥିଲା । ଏହା ପରେ ପରେ ମହୁମାଛିପଲଙ୍କ ହାବୁଡ଼ରେ ପଡ଼ିଥିଲେ ବାଇକରେ ଯାଉଥିବା ଦେବକୀ ଓ ଉକ୍ତ ଯୁବକ । ମହୁମାଛି ଆକ୍ରମଣ କରିବାରୁ ବାଇକଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା ଫଳରେ ଉଭୟ ତଳେ ପଡ଼ି ଯାଇଥିଲେ ।
ସ୍ଥାନୀୟ ଲୋକେ ତିନି ଜଣଙ୍କୁ ଉଦ୍ଧାର କରି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିବାବେଳେ ଦୁଇ ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି ।