ଜଗତସିଂହପୁର: କୁଜଙ୍ଗ ଥାନାର ପୂର୍ବତନ ଆଇଆଇସି ତପନ କୁମାର ନାହାକ ସସପେଣ୍ଡ । ତାଙ୍କୁ ନିଲମ୍ବନ କରିଛନ୍ତି ପୋଲିସ ଡିଜି ୱାଇ ବି ଖୁରାନିଆ । ଅସଦାଚରଣ ଓ ନିଜ ପଦବୀର ଅପବ୍ୟବହାର ନେଇ ତାଙ୍କୁ ନିଲମ୍ବନ କରାଯାଇଛି । ଏଥିସହା ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ବିଚାର ଚାଲିଛି । ତପନଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଜଣେ ମହିଳା ହୋମଗାର୍ଡ।
ନିଲମ୍ବନ ସମୟରେ କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ ଶୃଙ୍ଖଳାଗତ ନିୟନ୍ତ୍ରଣରେ ରହିବେ ତପନ । ନିଜ ପଦବୀର ଅପବ୍ୟବହାର କରି ଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଛି । ତେବେ ମହିଳା ହୋମଗାର୍ଡଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ଓ ପ୍ରତାରଣା ଅଭିଯୋଗରେ ଇନ୍ସପେକ୍ଟର ତପନ ନାହାକ ନିଲମ୍ବିତ ହୋଇଛନ୍ତି । ଜଗତସିଂପୁର ଜିଲ୍ଲାରେ ଜଣେ ଯୁବତୀ ହୋମଗାର୍ଡ ପୁଲିସ ଅଧିକାରୀଙ୍କ ବିରୋଧରେ ଯୌନ ନିର୍ଯାତନାର ଏକ ଗମ୍ଭୀର ଅଭିଯୋଗ ଆଣିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ସୂଚନାନୁସାରେ ଗତକାଲି ମହିଳା ହୋମଗାର୍ଡ ଜଣକ ଥାନାରେ ଏତଲା ଦେବା ପରେ ଅଭିଯୁକ୍ତ ଥାନା ଅଧିକାରୀ ଖବର ପାଇ ଫେରାର ହୋଇ ଯାଇଥିଲେ । ଜଗତସିଂହପୁର ପୋଲିସର ଏକ ସ୍ୱତନ୍ତ୍ର ଟିମ ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ନିକଟରୁ ଧରି ଜଗତସିଂହପୁର ଥାନାକୁ ଆଣିଥିଲେ ।