ନୂଆଦିଲ୍ଲୀ/ଭୁବନେଶ୍ୱର: ଭୁବନେଶ୍ୱର ସମେତ ଖୁବ୍ଶୀଘ୍ର ଦେଶର ୧୩ ବିମାନବନ୍ଦରର ହେବ ଘରୋଇକରଣ। ଏଥିପାଇଁ ଜୋର୍ଦାର ପ୍ରସ୍ତୁତି ଚାଲିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଆସେଟ୍ ମୁଦ୍ରୀକରଣ ମାଧ୍ୟମରେ ରାଜସ୍ୱ ବଢାଇବା ହେଉଛି ସରକାରଙ୍କ ଲକ୍ଷ୍ୟ। ଏହି କ୍ରମରେ ୧୩ ବିମାନବନ୍ଦରର ଘରୋଇକରଣ ପ୍ରକ୍ରିୟାକୁ ପୁନଃ ଆରମ୍ଭ କରାଯାଇଛି। ବିମାନବନ୍ଦରଗୁଡ଼ିକୁ ଘରୋଇ କମ୍ପାନିଗୁଡ଼ିକୁ ଲିଜ୍ରେ ଦେବା ଦ୍ୱାରା ବିମାନବନ୍ଦରଗୁଡ଼ିକର ମ୍ୟାନେଜ୍ମେଣ୍ଟ ଦୃଢ଼ ହେବ। ଘରୋଇ କ୍ଷେତ୍ରର କାର୍ଯ୍ୟକୁଶଳତାର ବ୍ୟବହାର ହୋଇପାରିବ। ବିମାନବନ୍ଦର ଭିତ୍ତିଭୂମି ଏବଂ ସୁବିଧା ବଢ଼ିବା ଦ୍ୱାରା ଯାତ୍ରୀ ଉପକୃତ ହେବେ। ସେମାନଙ୍କୁ ଉତ୍ତମ ସେବା ମିଳିବ।
ପ୍ରଥମ ଥର ପାଇଁ କେନ୍ଦ୍ର ସରକାର ଘରୋଇକରଣ ପ୍ରକ୍ରିୟା ନିମନ୍ତେ ୭ ଛୋଟ ବିମାନବନ୍ଦରକୁ ୬ଟି ବଡ଼ ବିମାନବନ୍ଦର ସହିତ କ୍ଲବ୍ କରିଛନ୍ତି। ଏଥିସହିତ ବାରାଣାସିକୁ କୁଶିନଗର ଏବଂ ଗୟା ସହିତ, ଅମ୍ରିତସରକୁ କାଙ୍ଗ୍ରା ସହିତ, ଭୁବନେଶ୍ୱରକୁ ତିରୁପତି ସହ, ରାୟପୁରକୁ ଔରଙ୍ଗାବାଦ ସହ, ଇନ୍ଦୋରକୁ ଜବଲପୁର ସହିତ ଏବଂ ତିରୁଚିରାପଲ୍ଲୀକୁ ହୁବୁଳି ସହ ଯୋଡ଼ାଯାଇଛି। ପ୍ରକ୍ରିୟା ସହ ଜଡ଼ିତ ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ, ଏହି ବିମାନବନ୍ଦରଗୁଡ଼ିକର ଘରୋଇକରଣ ଉପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଆନ୍ତଃ-ମନ୍ତ୍ରୀସ୍ତରୀୟ ପରାମର୍ଶ ନୋଟ୍ ଜାରି କରିଛି। ୨୦୨୫-୨୬ ଆର୍ଥିକବର୍ଷ ଶେଷ ସୁଦ୍ଧା ଘରୋଇକରଣ ପ୍ରକ୍ରିୟା ଶେଷ କରିବାକୁ ସରକାର ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ନ୍ୟାସ୍ନାଲ ମନେଟାଇଜେସନ୍ ପାଇପ୍ଲାଇନ୍(ଏନ୍ଏମ୍ପି) ଅଧୀନରେ ୨୦୨୨-୨୦୨୫ ମଧ୍ୟରେ ୨୫ଟି ବିମାନବନ୍ଦରକୁ ଲିଜ୍ରେ ଦେବା ପାଇଁ ଚିହ୍ନଟ କରାଯାଇଥିଲା। ୨୦୨୧ରେ ବିଜେପି ସରକାରଙ୍କ ଅଧୀନରେ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ(ଏଏଆଇ) ବୋର୍ଡ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ବିମାନବନ୍ଦର ଘରୋଇକରଣ ଲାଗି ୧୩ଟି ବିମାନବନ୍ଦରକୁ ଚୟନ କରାଯାଇଥିଲା। ଏହା ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏକ କ୍ୟାବିନେଟ୍ ଚିଠା ପ୍ରସ୍ତୁତ କରିଥିଲା। ତେବେ ମଧ୍ୟପ୍ରଦେଶ ସରକାର ରାୟପୁର ଏବଂ ଇନ୍ଦୋର ବିମାନବନ୍ଦରର ଘରୋଇକରଣକୁ ବିରୋଧ କରିବା ଫଳରେ ଏହି ତାଲିକା ୧୧କୁ ଖସିଯାଇଥିଲା।