Ukk9xlcq7zv3f6sioqxf

ଋଷିଆ-ୟୁକ୍ରେନ୍ ଯୁଦ୍ଧ: ଟ୍ରମ୍ପଙ୍କ ହସ୍ତକ୍ଷେପ, ୩ ବର୍ଷ ପରେ ଯୁଦ୍ଧ ନେଉଛି ନୂଆ ମୋଡ଼

National & International

ମସ୍କୋ: ଦୀର୍ଘ ୩ ବର୍ଷ ହେବ ଚାଲିଆସିଥିବା ଯୁଦ୍ଧ ନୂଆ ମୋଡ ନେବାରେ ଲାଗିଛି । ଡୋନାଲ୍ଡ ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଯୁଦ୍ଧ ବନ୍ଦ ହେବା ନେଇ ଆଶଂକା ଯେତିକି ବଢିଛି, ସ୍ଥିତି ସେତେକି ଜଟିଳ ହେବାରେ ବି ଲାଗିଛି । ଗତ ୨୪ ଫେବୃଆରୀ ଦିନ ଜାତିସଂଘ ସାଧାରଣ ସଭାରେ ୟୁକ୍ରେନରୁ ଋଷ ସୈନ୍ୟଙ୍କୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଏକ ପ୍ରସ୍ତାବ ଗୃହିତ ହୋଇଛି । ଯୁଦ୍ଧର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆମେରିକା ଏହି ପ୍ରସ୍ତାବ ଆଣିଥିବା ବେଳେ ଅନେକ ଦେଶ ଏହି ଭୋଟିଂରେ ଅଂଶଗ୍ରହଣ କରିନାହାନ୍ତି ।

ଏହି ପ୍ରସ୍ତାବ ନିଶ୍ଚିତ ଭାବରେ ୟୁକ୍ରେନ ପାଇଁ ଏକ ଭଲ ଖବର, କିନ୍ତୁ ଏଥର ଗୃହିତ ପ୍ରସ୍ତାବ, ୟୁକ୍ରେନ ପ୍ରତି ହ୍ରାସ ପାଉଥିବା ସମର୍ଥନକୁ ବି ପ୍ରତିଫଳିତ କରିଛି । ଏହି ପ୍ରସ୍ତାବକୁ ୯୩ଟି ଦେଶର ସମର୍ଥନ ମିଳିଛି, ୧୮ଟି ଦେଶ ଏହାକୁ ବିରୋଧ କରିଛନ୍ତି । ଏବଂ ୬୫ଟି ଦେଶ ଏହି ଭୋଟିଂରେ ଭାଗ ନେଇନାହାନ୍ତି । ଅର୍ଥାତ୍ ୮୩ଟି ଦେଶ ୟୁକ୍ରେନକୁ ସମର୍ଥନ କରିନାହାନ୍ତି ।

ତେବେ ପୂର୍ବ ଭଳି ଭାରତ ତାର ଅସହଯୋଗ ନୀତିରେ କାୟମ ରହିଛି । ୬୫ ଦେଶଙ୍କ ମଧ୍ୟରେ ଭାରତ ବି ସାମିଲ୍ ରହିଛି । ଜାତିସଂଘରେ ଗୃହିତ ହୋଇଥିବା ପ୍ରସ୍ତାବରେ ଅଂଶଗ୍ରହଣ କରିନି ଭାରତ । ଋଷ-ୟୁକ୍ରେନ ଯୁଦ୍ଧର ତିନି ବର୍ଷ ମଧ୍ୟରେ ଭାରତର ମନୋଭାବ ସର୍ବଦା ଏହିପରି ରହିଛି। ସେପଟେ କିନ୍ତୁ ଋଷ ସହ ଛିଡା ହୋଇଛି ଚୀନ୍ । ଜାତିସଂଘରେ ୟୁକ୍ରେନ୍ ବିପକ୍ଷରେ ଭୋଟ ଦେଇଛି ଚୀନ୍ ।

ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ନିଜ ପଦ ଛାଡିବା ନେଇ ଏକ ବଡ ବୟାନ ଦେଇଛନ୍ତି । ଜେଲେନସ୍କି କହିଛନ୍ତି, ଯଦି ଆପଣ ଚାହୁଁଛନ୍ତି ମୁଁ ମୋ ପଦରୁ ଇସ୍ତଫା ଦିଏ ବୋଲି, ତେବେ ମୁଁ ଏଥିରେ ରାଜି । କିନ୍ତୁ ମୋର କିଛି ସର୍ତ୍ତ ରହିଛି । ଯଦି ୟୁକ୍ରେନକୁ ନାଟୋରେ ସଦସ୍ୟତା ମିଳେ ତେବେ ମୁଁ ତୁରନ୍ତ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଦେବି ।

ଜେଲେନସ୍କି ଏକଥା ସେତେବେଳେ କହିଛନ୍ତି, ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜେଲେନସ୍କିଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି । ଜେଲେନସ୍କିଙ୍କୁ ତାନାସାହ କହିବା ସହ ମାମୁଲି କମେଡିଆନ୍ କହିଛନ୍ତି । ଗତ ସପ୍ତାହରେ ଆମେରିକା ରାଷ୍ଟ୍ରପତି ଜେଲେନସ୍କିଙ୍କୁ ମାମୁଲି କମେଡିଆନ୍ କହିବା ସହ ନିର୍ବାଚନ ନକରି ତାନାସାହା ସାଜିଥିବା କହିଥିଲେ ଟ୍ରମ୍ପ । ଯାହାକୁ ନେଇ ଏପରି ବୟାନ ଦେଇଛନ୍ତି ଜେଲେନସ୍କି । ସେ ଆହୁରି କହିଛନ୍ତି କି, ମୁଁ ଟ୍ରମ୍ପଙ୍କ ଏହି ଟିପ୍ପଣୀକୁ ନେଇ କ୍ରୋଧିତ ନାହିଁ । ୟୁକ୍ରେନକୁ ନାଟୋ ସଦସ୍ୟତା ମିଳିବା ପରେ ମୁଁ ନିର୍ବାଚନରେ ମୋର ଲୋକପ୍ରିୟତା ପରୀକ୍ଷା କରିବାକୁ ପ୍ରସ୍ତୁତ ଅଛି ।