ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ମିଳିଲା ଆଜୀବନ କାରାଦଣ୍ଡ । ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ମାମଲାରେ ଏଭଳି ଦଣ୍ଡାଦେଶ ଶୁଣାଇଛନ୍ତି ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ । ଫେବୃଆରୀ ୧୨ ତାରଖରେ ସଜ୍ଜନ ଦୋଷୀ ସାବ୍ୟସ୍ତ ହୋଇଥିବାବେଳେ ଆଜି ଦଣ୍ଡାଦେଶ ହୋଇଛି।
୧୯୮୪ ଶିଖ ବିରୋଧୀ ଦଙ୍ଗା ସହିତ ଜଡିତ ସରସ୍ୱତୀ ବିହାର ମାମଲାରେ ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ନଭେମ୍ବର ୧ ତାରିଖ ୧୯୮୪ ମସିହାରେ ପଶ୍ଚିମ ଦିଲ୍ଲୀର ରାଜନଗର ଅଞ୍ଚଳରେ ପିତା-ପୁତ୍ର ଯୋଡି, ସର୍ଦ୍ଦାର ଜସୱନ୍ତ ସିଂହ ଏବଂ ସର୍ଦ୍ଦାର ତରୁଣଦୀପ ସିଂହଙ୍କୁ ହତ୍ୟା କରାଯାଇଥିଲା । ଅପରାହ୍ନ ପ୍ରାୟ ୪ଟାରୁ ୪ଟା ୩୦ ମଧ୍ୟରେ, ଦଙ୍ଗାକାରୀଙ୍କ ଏକ ଦଳ ଲୁହା ରଡ୍ ଏବଂ ବାଡ଼ି ସାହାଯ୍ୟରେ ପୀଡିତଙ୍କ ଘର ଉପରେ ଆକ୍ରମଣ କରିଥିଲେ ।
ଅଭିଯୋଗକାରୀଙ୍କ ଅନୁଯାୟୀ, ଏହି ଭିଡ଼ର ନେତୃତ୍ୱ ନେଇଥିଲେ ତତ୍କାଳୀନ କଂଗ୍ରେସ ସାଂସଦ ସଜ୍ଜନ କୁମାର, ଯିଏ ସେତେବେଳେ ବାହାରୀ ଦିଲ୍ଲୀ ଲୋକସଭା ଆସନରୁ ପ୍ରତିନିଧିତ୍ୱ କରୁଥିଲେ । ଅଭିଯୋଗ ହୋଇଛି ଯେ, ସଜ୍ଜନ କୁମାର ଆକ୍ରମଣ ପାଇଁ ଭିଡ଼କୁ ଉସୁକାଇଥିଲେ, ଯାହା ପରେ ଉଭୟ ଶିଖଙ୍କୁ ସେମାନଙ୍କ ଘରେ ଜୀବନ୍ତ ଜାଳି ଦିଆଯାଇଥିଲା । କେବଳ ଏତିକି ନୁହେଁ, ଉତ୍ତ୍ୟକ୍ତ ଲୋକେ ଘର ଭଙ୍ଗାରୁଜା, ଲୁଟପାଟ ଏବଂ ନିଆଁ ଲଗାଇ ଦେଇଥିଲେ।
