ଭୁବନେଶ୍ୱର: ମରଣ ଯନ୍ତା ପାଲଟିଛି ମୋ ବସ୍ । ପ୍ରତିଦିନ ଗୋଟେ ପରେ ଗୋଟେ ଦୁର୍ଘଟଣା ଘଟାଉଛି ମୋ ବସ୍ । ଆଖି ବୁଜି ଗାଡି ଚଳାଉଛନ୍ତି ଡ୍ରାଇଭର । ଫଳରେ ଯାଉଛି ନିରିହ ଲୋକଙ୍କ ଜୀବନ। ଆଜି ପୁଣି ଦୁର୍ଘଟଣା ଘଟାଇଛି ମୋ ବସ୍ । ଭୁବନେଶ୍ଵର ମାଷ୍ଟରକ୍ୟାଣ୍ଟିନ ରେଳ ଷ୍ଟେସନ ନିକଟ ବସ୍ଷ୍ଟାଣ୍ଡରେ ଠିଆ ହୋଇଥିବା ଜଣେ ଯୁବକଙ୍କ ଉପରକୁ ମାଡ଼ିଗଲା ମୋ ବସ । ଯୁବକ ଜଣଙ୍କ ଗୁରୁତର ଥିବା ବେଳେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଗୁରୁତର ଯୁବକଙ୍କ ପରିଚୟ ମଧ୍ୟ ମିଳିଛି ।
ସୂଚନା ଅନୁସାରେ, ଗୁରୁତର ଯୁବକ ଜଣଙ୍କ ହେଉଛନ୍ତି ପୁରୀର ରଞ୍ଜିତ ବେହେରା । କୌଣସି କାରଣ ବସତଃ ରଞ୍ଜିତ ଟ୍ରେନ ଯୋଗେ ଭୁବନେଶ୍ବର ଆସିଥିଲେ। ଷ୍ଟେସନରେ ପହଁଚିବା ପରେ ଖରା ହେଉଥିବା କାରଣରୁ ଏକ ଗଛ ପାଖରେ ଠିଆ ହେଇଥିଲେ ରଞ୍ଜିତ । ଠିକ୍ ସେତିକିବେଳେ ମୋ ବସ୍ ଆସି ତାଙ୍କୁ ଧକ୍କା ଦେଇଥିଲା । ଯୁବକଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କର ଗୋଡ଼ରେ ପ୍ରବଳ ଆଘାତ ଲାଗିଥିବା ନେଇ ଜଣାପଡିଛି। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ, ମୋ ବସ୍ ଦୁର୍ଘଟଣା ଏବେ ରାଜଧାନୀ ବାସୀଙ୍କ ମନରେ ଆତଙ୍କ ଖେଳାଇଛି । ଗତ ୧୪ ଫେବୃଆରୀରେ ଭୁବନେଶ୍ବର ପାତ୍ରପଡା ସ୍ଥିତ ନିର୍ମାଣଧିନ ଫୁଟ ଓଭର୍ ବ୍ରିଜ ନିକଟରେ ଏକ ଭୟଙ୍କର ଦୁର୍ଘଟଣା ଘଟାଇଥିଲା ମୋ ବସ୍ । ରାସ୍ତା କଡରେ ଅପେକ୍ଷାରତ ଲୋକଙ୍କ ଉପରକୁ ଚଢିଯାଇଥିଲା ମୋ ବସ୍ । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିଲେ । ମାତ୍ର ଗତ ୧୭ ତାରିଖରେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଥିଲା ।