ଭୁବନେଶ୍ବର: ଏଣିକି ଆୟକର ଫାଇଲ କରିଥିଲେ ବି କଟିବନି ରାସନ କାର୍ଡ । ଏନେଇ ଫିଜିକାଲ ଭେରିଫିକେସନ କରିବେ ରାଜ୍ୟ ସରକାର । ଯଦି କାହାର ଆୟକର ଫାଇଲ ପାଇଁ ରାସନ କାର୍ଡ କଟିଥାଏ, ତାଙ୍କୁ ପୁନଶ୍ଚ କାର୍ଡ ଯୋଗାଇ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।
ଏନେଇ ମନ୍ତ୍ରୀ କହିଛନ୍ତି, ଡୋର ଟୁ ଡୋର ବୁଲି ସର୍ଭେ ଯୋଗାଣ ଅଧିକାରୀ । ଯେଉଁମାନେ ପ୍ରକୃତରେ ଗରିବ ସେମାନଙ୍କର କାର୍ଡ ରହିବା ଉଚିତ୍ । ଏଥିପାଇଁ ପୁଣି ଥରେ ଫିଜିକାଲି ସର୍ଭେ କରାଯିବ । ଯିଏ ପ୍ରକୃତରେ ଯୋଗ୍ୟ ହିତାଧିକାରୀ ସେମାନଙ୍କୁ କାର୍ଡ ମିଳିବ ବୋଲି ମନ୍ତ୍ରୀ କହିଛନ୍ତି ।
ତେବେ ପୂର୍ବରୁ ବିଜେଡି ବିଧାୟକ ଗଣେଶ୍ବର ବେହେରା ଏନେଇ ବିଧାନସଭାରେ ଦାବି ଉଠାଇଥିଲେ । ଯେଉଁମାନେ ଜିରୋ ଆୟକର ଦେଉଛନ୍ତି ସେମାନଙ୍କ ରାସନ କାର୍ଡ ନକାଟିବାକୁ ଗୃହରେ ଦାବି କରି ବିଧାୟକ କହିଥିଲେ, ଇ-କେୱାଇସି ବେଳେ ଆୟକର ଦେଉଥିବା ଲୋକଙ୍କ ରାସନ କାର୍ଡ କଟାଯାଉଛି, କିନ୍ତୁ ଅନେକ ଗରିବ ଲୋକ ପିଲାଙ୍କ ପଠାପଢା, ଘର ତିଆରି, ଝିଅ ବାହାଘର ପାଇଁ ଲୋନ କରିବାକୁ ଅନେକ ବ୍ୟକ୍ତି ଜିରୋ ରିଟର୍ଣ୍ଣରେ ଇନକମ ଟ୍ୟାକ୍ସ ଫାଇଲ କରୁଛନ୍ତି । ତେଣୁ ସବୁ ବ୍ଲକକୁ ନିର୍ଦ୍ଦେଶ ଦିଆଯାଉ, ଯେଉଁମାନେ ଜିରୋ ରିଟର୍ଣ୍ଣ ଇନକମ ଟ୍ୟାକ୍ସ ଫାଇଲ କରୁଛନ୍ତି, ସେମାନଙ୍କର ରାସନ କାର୍ଡ କଟାନଯାଉ । ଯେଉଁମାନେ ଅଧିକ ଆୟ କରି ଅଧିକ ଇନକମ ଟ୍ୟାକ୍ସ ଫାଇଲ କରୁଛନ୍ତି , କେବଳ ସେମାନଙ୍କର ନାଁ ରାସନ୍ କାର୍ଡରୁ ବାଦ ଦିଆଯାଉ ।