Roa

ମରାମତି ହେଲା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ

State

ଆଗରପଡ଼ା :ଗତ ଅଗଷ୍ଟରେ “ମରାମତି ମାଗିଲାଣି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ”ଶୀର୍ଷକ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇବା ପରେ ଇତି ମଧ୍ୟରେ ଉକ୍ତ ରାସ୍ତାର ମରାମତି କାର୍ଯ୍ୟ ବିଭାଗ ତରଫରୁ କରାଯାଇଥିବା ଜଣାପଡ଼ିଛି । ରାସ୍ତା ନିର୍ମାଣ ପରେ ରାସ୍ତାର ସ୍ଥାୟିତ୍ୱ ପ୍ରତି ବିଭାଗ ତରଫରୁ ଦୃଷ୍ଟି ଦିଆଯାଉନଥିବାରୁ ଏହାର ନିର୍ମାଣ ମୁଲ୍ୟହୀନ ହୋଇପଡ଼ୁଥିବା ପରିଲକ୍ଷିତ ହୋଇଥିଲା । ଏହିପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଥିଲା ଆଗରପଡ଼ା-ବରପଦା ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତାର ଧୋବାଗଡ଼ିଆ ଠାରୁ କାଉପୁରକୁ ଲମ୍ବିଥିବା ପାଖାପାଖି ୪ କି.ମି. ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଠାରେ । ରାସ୍ତା ସମସ୍ୟାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇବା ପରେ ଗତ ବର୍ଷ ୨୦୨୦ ମାର୍ଚ୍ଚ ମାସରେ ଉକ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ ହୋଇଥିଲା । କିନ୍ତୁ ନିର୍ମାଣ ସରିବା ପରେ ଏହାର ସ୍ଥାୟିତ୍ୱ ପ୍ରତି ବିଭାଗ ତରଫରୁ କୌଣସି ଦୃଷ୍ଟି ଦିଆନଯିବା ଓ ଦୀର୍ଘ ବର୍ଷ ଧରି ଆବଶ୍ୟକୀୟ ମରାମତି ଅଭାବରୁ ଉକ୍ତ ରାସ୍ତା ମରଣଯନ୍ତା ପାଲଟିଥିଲା । ଉକ୍ତ ରାସ୍ତାରେ ନିର୍ମାଣ ହୋଇଥିବା କଂକ୍ରିଟ ରାସ୍ତା ଫାଟି କେରାକେରା ହୋଇଯିବା ସହ ଗମନାଗମନରେ ବିପଦ ସୃଷ୍ଟି କରୁଥିଲା । ରାତିରେ ଉକ୍ତ ରାସ୍ତାରେ ଯିବା ଅର୍ଥ ମରଣକୁ ଆମନ୍ତ୍ରଣ କରିବା ପରିସ୍ଥିତି ସୃଷ୍ଟି ହୋଇଥିଲା । ମିଟୁଆଣୀ, ବେଲଗଡ଼ିଆ, ତୁମ୍ଭାପଦୀ, ମୁକ୍ତାଡ଼ିହୀ ଆଦି ଗ୍ରାମର ଗ୍ରାମବାସୀମାନେ ଏହି ରାସ୍ତା ଦେଇ ପ୍ରତିଦିନ ଯାଆଆସ କରିଥାନ୍ତି । ରାସ୍ତା ସାରା ଖାଲଖମାରେ ଭର୍ତ୍ତି ହେବା ସହ ସାମାନ୍ୟ ବର୍ଷା ହେଲେ ରାସ୍ତାରେ ପାଣି ଜମିବା ଦ୍ୱାରା ଯିବା ଆସିବା କରିବା ପାଇଁ ଏହା ସଂପୂର୍ଣ୍ଣ ଅନୁପଯୋଗି ହୋଇପଡ଼ିଥିଲା । ରାସ୍ତା ସମସ୍ୟା ଯୋଗୁଁ ଅନେକ ସମୟରେ ସାଇକେଲ ଓ ମଟର ସାଇକେଲ ଆରୋହୀ ଏହି ରାସ୍ତାରେ ଯାଆଆସ କରିବା ସମୟରେ ଦୁର୍ଘଟଣାର ଶିକାର ହୋଇ ଆହତ ହେଉଥିବାର ପରିଲକ୍ଷିତ ହେଉଥିଲା । ତୁରନ୍ତ ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଉକ୍ତ ସଡ଼କର ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ଗ୍ରାମବାସୀଙ୍କ ତରଫରୁ ଦାବି ହେଉଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ।