ବଲିଉଡ ଅଭିନେତା ଅକ୍ଷୟ କୁମାର ମହାକୁମ୍ଭରେ ବଡ଼ ପକାଇଛନ୍ତି । ସଙ୍ଗମରେ ବୁଡ଼ ପକାଇଛନ୍ତି ଅକ୍ଷୟ କୁମାର । ଅକ୍ଷୟ କୁମାର ସଙ୍ଗମରେ ବୁଡ଼ ପକାଉଥିବାର ଭିଡ଼ିଓ ସାମ୍ନାକୁ ଆସିଛି । ଆଉ ଅକ୍ଷୟ କୁମାର ବୁଡ଼ ପକାଇବା ପରେ ବ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରିଛନ୍ତି ।
ଏନେଇ ଅକ୍ଷୟ କହିଛନ୍ତି, ମୁଁ ବହୁତ ମଜା କରିଥିଲି । ଏଠିକାର ବ୍ୟବସ୍ଥା ବହୁତ ଭଲ । ସୁରକ୍ଷା ବ୍ୟବସ୍ଥା ବହୁତ ଭଲ ଭାବରେ କରାଯାଇଛି । ଏପରି ଭଲ ବ୍ୟବସ୍ଥା କରିବା ପାଇଁ ଆମେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନିକଟରେ କୃତଜ୍ଞ ।
ଏହାସହିତ ମୁଁ ସମସ୍ତ ପୋଲିସ କର୍ମଚାରୀ ଏବଂ କର୍ମଚାରୀଙ୍କ ପ୍ରତି କୃତଜ୍ଞ, ଯେଉଁମାନେ ସମସ୍ତଙ୍କର ଏତେ ଭଲ ଯତ୍ନ ନେଇଛନ୍ତି । ମୁଁ ତାଙ୍କୁ ହାତ ଯୋଡି ଧନ୍ୟବାଦ ଦେବାକୁ ଚାହୁଁଛି ।
ଦିନକ ପରେ ସରିବ ପ୍ରୟାଗରାଜ ମହାକୁମ୍ଭ ମେଳା । ଶିବରାତ୍ରିରେ ଶେଷ ସ୍ନାନ ପାଇଁ ବଢୁଛି ଶ୍ରଦ୍ଧାଳୁଙ୍କ ଭିଡ଼ । କେବଳ ଅକ୍ଷୟ କୁମାର ନୁହେଁ, ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ମଧ୍ୟ କୁମ୍ଭରେ ସାମିଲ ହୋଇଛନ୍ତି । କ୍ୟାଟ୍ ନିଜ ଶାଶୂଙ୍କ ସହ ସାଧୁ ସନ୍ଥଙ୍କୁ ଭେଟି ଆଶୀର୍ବାଦ ଗ୍ରହଣ କରିଛନ୍ତି ।
ବର୍ତ୍ତମାନ ସୁଦ୍ଧା ସଙ୍ଗମରେ ୬୩ କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇଲେଣି । କେବଳ ଆଜି ୭୫ଲକ୍ଷ ଶ୍ରଦ୍ଧାଳୁ ସଙ୍ଗମରେ ବୁଡ଼ ପକାଇଛନ୍ତି । ଶାହୀ ସ୍ନାନ ପାଇଁ ଦେଶ ଓ ଦେଶ ବାହାରୁ ପ୍ରୟାଗରାଜରେ ଶ୍ରଦ୍ଧାଳୁ ପହଞ୍ଚୁଛନ୍ତି । ଅକ୍ଷୟ କୁମାରଙ୍କ ପୂର୍ବରୁ ତମନ୍ନା ଭାଟିଆ, ଅନୁପମ ଖେର, ବିକ୍କି କୌଶଲ ପୂର୍ବରୁ ସଙ୍ଗମରେ ବୁଡ଼ ପକାଇସାରିଛନ୍ତି । ବଲିଉଡ଼ ଏବଂ ହଲିଉଡ଼ର ବହୁ କଳାକାର ଏହି ମହାନ ପର୍ବରେ ସାମିଲ ହୋଇଛନ୍ତି ।
ସୂଚନାଯୋଗ୍ୟ, ଅକ୍ଷୟ କୁମାରଙ୍କ ଶେଷ ଫିଲ୍ମ ସ୍କାଇ ଫୋର୍ସରେ ନଜର ଆସିଥିଲେ । ଏହି ଫିଲ୍ମରେ ଅକ୍ଷୟଙ୍କ ସହିତ ବୀର ପହାଡିଆ ଏବଂ ସାରା ଅଲ୍ଲୀ ଖାନ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଅକ୍ଷୟଙ୍କ ଆଗାମୀ ଫିଲ୍ମ କେସରୀ ଚାପ୍ଟର ୨, ଜଲି ଏଲଏଲବି ୩, ହାଉସଫୁଲ ୫, ଭୂତ ବଙ୍ଗଲା ଏବଂ ୱେଲକମ ଟୁ ଜଙ୍ଗଲ ଭଳି ଫିଲ୍ମ ସାମିଲ ରହିଛି ।