ମୁମ୍ଵାଇ : ପାଟଣାରେ ଭୟଙ୍କର ଦୁର୍ଘଟଣା । ଟ୍ରକ ଓ ଅଟୋ ମଧ୍ୟରେ ମୁଁହାମୁହିଁ ଧକ୍କା । ଏହି ଦୁର୍ଘଟଣାରେ ୭ଜଣଙ୍କର ମୃତ୍ୟୁ ହୋଇଛି । ସେଥିରୁ ଅନେକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଅତି ସଙ୍କଟାପର୍ଣ୍ଣ ରହିଛି । ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକମାନେ ଶ୍ରମିକ ବୋଲି ଜଣାପଡ଼ିଛି ।
ସୂଚନା ଅନୁସାରେ, ବିହାର ପାଟଣାର ମସୌରିରୁ ଏକ ଅଟୋ କିଛି ଲୋକଙ୍କୁ ନେଇ ନୌବତପୁର ଅଭିମୁଖେ ଯାଉଥିଲା । ଏହି ସମୟରେ ମସୌରିର ପିତବାସ ରାସ୍ତାର ଏକ ଟ୍ରକ୍ ସହ ଅଟୋର ଜୋରଦାର ଧକ୍କା ହୋଇଥିଲା । ଯାହା ଫଳରେ ଘଟଣାସ୍ଥାଳରେ ୭ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତଦେହ ସହ ଆହତମାନଙ୍କୁ ଉଦ୍ଧାର କରିଛି । ମୃତଦେହଗୁଡିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଆହତମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।
ମୃତକମାନେ ହଂସଡିହ ନିବାସୀ ଅଟୋ ଡ୍ରାଇଭର ସୁଶୀଲ ରାମ (୩୦), ଡୋରିପାର ନିବାସୀ ମେଶ ବିନ୍ଦ (୪୦), ବିନୟ ବିନ୍ଦ (୪୦), ମାତେନ୍ଦ୍ର ବିନ୍ଦ (୩୦), ୪୦ ଉମେଶ ବିନ୍ଦ (ପିତା ସୋମର ବିନ୍ଦ), ୩୦ ବର୍ଷୀୟ ଉମେଶ ବିନ୍ଦ ଏବଂ ସୂରଜ ଠାକୁର (୨୦) ବୋଲି ଚିହ୍ନଟ କରାଯାଇଛି । ଘଟଣା ସମ୍ପର୍କରେ ଖବର ପାଇ, ମସୌରି ବିଧାୟକ ଘଟଣାସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି । ଦୁର୍ଘଟଣାରେ ଦୁଃଖ ପ୍ରକାଶ କରି ସେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି ।