Sfd

ସାତକୋଶିଆ ନିଷିଦ୍ଧାଞ୍ଚଳରେ ପୁଣି ଉଡିଲା ହେଲିକପ୍ଟର

State

ଅନୁଗୋଳ: ସରକାର ସାତକୋଶିଆକୁ ବାଘ ଆଣିବାକୁ ଯୋଜନା ରଖିଛନ୍ତି ଓ ଏହାର ସୁରକ୍ଷା ପାଇଁ କୋଟିକୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି। କିନ୍ତୁ ୧୧ ଦିନରେ ଏହି ନିଷିଦ୍ଧାଞ୍ଚଳରେ ୩ଥର ହେଲିକପ୍ଟର ଉଡାଣ କଲାଣି। ଗତକାଲି ହେଲିକପ୍ଟରଟି ଦିନ ସାଢେ ୧୦ଟା ସମୟରେ ଆଠମଲ୍ଲିକ ଅଞ୍ଚଳରୁ ଆକାଶ ମାର୍ଗରେ ଆସି ସାତକୋଶିଆ ଦେଇ ମହାନଦୀର ତଳ ଅଞ୍ଚଳକୁ ଯାଇଥିବା ସୂଚନା ମିଳିଛି।

ତେବେ କିଏ ଓ କାହାଠାରୁ ଅନୁମତି ନେଇ ଏଭଳି ଭଳି ବାରମ୍ବାର ନିଷିଦ୍ଧାଞ୍ଚଳର ଆକାଶ ମାର୍ଗରେ ହେଲିକପ୍ଟର ଉଡାଉଛି ତାହାର ସ୍ପଷ୍ଟ ସୂଚନା କାହାଠାରୁ ମିଳିପାରୁନାହିଁ। ପୂର୍ବରୁ ଏ ନେଇ ବନବିଭାଗ ପକ୍ଷରୁ ଭୁବନେଶ୍ଵର ଓ ଝାରସୁଗୁଡା ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଥିଲା।

ଏନେଇ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ସୁଧାଂଶୁଶେଖର ଖୋରା କହିଛନ୍ତି ଯେ, ଉଡାଣ ସମ୍ପର୍କରେ ଆମେ ସୂଚନା ପାଇଛୁ। ଏଥିପାଇଁ ଭୁବନେଶ୍ବର ଓ ଝାରସୁଗୁଡା ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ପୁଣି ଚିଠି ଲେଖିଛୁ। ସାଧରଣତଃ ବନାଞ୍ଚଳ ଉପର ଦେଇ ହେଲିକପ୍ଟର କିମ୍ବା ବିମାନ ଉଡାଣ ନେଇ କୌଣସି ପ୍ରକାର ଆଇନଗତ କଟକଣା ନାହିଁ । କିନ୍ତୁ ନିଷିଦ୍ଧାଞ୍ଚଳ ହୋଇଥିବାରୁ ଏହା ଉପରେ ସତର୍କତା କାରଣରୁ କୌଣସି ଉଡାଣ କରାଯିବା କଥା ନୁହେଁ ।

ସୂଚନାଥାଉକି, କେତେବେଳେ, କେତେ ଅକ୍ଷାଂଶ ଓ ଦ୍ରାଘିମା ଏବଂ କେତେ ଉଚ୍ଚତାରେ ହେଲିକପ୍ଟରଟି ଉଡାଣ କରିଥିଲା ତାହାର ବିସ୍ତୃତ ରିପୋର୍ଟ ଦେବାକୁ ଭୁବନେଶ୍ଵର ବିମାନବନ୍ଦର କର୍ତ୍ତୃପକ୍ଷ ସାତକୋଶିଆ ବନଖଣ୍ଡ ଅଧିକାରୀଙ୍କୁ ଚିଠିରେ ଜଣାଇଥିଲେ। ସେହିପରି ଆମ ପରିଧି ଭିତରେ ସାତକୋଶିଆ ଅଞ୍ଚଳର ଆକାଶମାର୍ଗ ଯାଉ ନାହିଁ ବୋଲି ଝାରସୁଗୁଡା ବିମାନବନ୍ଦର କର୍ତ୍ତୃପକ୍ଷ ତାଙ୍କ ଉତ୍ତରରେ ଜଣାଇଥିଲେ ।